ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେଉଛି ହୀରାକୁଦ ! ଛତିଶଗଡ କଲମା ବ୍ୟାରେଜ ଉପରେ ନଜର ରଖିଛି ଜଳ ସମ୍ପଦ ବିଭାଗ

39

କନକ ବ୍ୟୁରୋ : ଓଡିଶାରେ ମୌସୁମୀ ପ୍ରବେଶ କରି ସାରିଥିବା ବେଳେ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେଉଛି ହୀରାକୁଦ ଡେମ୍ । ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ ଉପରେ ତୀକ୍ଷ୍ଣ ନଜର ରଖିଛି ଜଳ ସମ୍ପଦ ବିଭାଗ । ପ୍ରତି ଘଂଟା ପାଣିର ତଥ୍ୟ ସଂଗ୍ରହ କରି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି ହୀରାକୁଦ ଡ୍ୟାମ ।

ମହାନଦୀ ଓ ତାର ଶାଖା ନଦୀର ୭ଟି ସ୍ଥାନରେ ଗେଜ୍ ସାହାଯ୍ୟରେ ଜଳ ସ୍ତରର ରିପୋର୍ଟ ରଖୁଛି ଜଳ ସମ୍ପଦ ବିଭାଗ । ଘଂଟାକୁ ଘଂଟା ସେଠାରେ ଥିବା କର୍ମଚାରୀମାନେ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି । ହୀରାକୁଦକୁ ମହାନଦୀ ଓ ତାର ଶାଖା ନଦୀ ଦ୍ୱାରା କେତେ ଜଳ ପ୍ରବେଶ କରିବ ଓ ଉପର ମୁଣ୍ଡରୁ ଛତିଶଗଡ କେତେ ଜଳ ଛାଡିବ ତାର ହିସାବକିତାବ କରାଯାଉଛି । ଆଉ ସେ ସବୁ ପାଣି ହୀରାକୁଦ ଡ୍ୟାମରେ କେତେ ସମୟରେ ପହଂଚିବ ତାର ଆକଳନ କରି ଡ୍ୟାମର ବନ୍ୟାଜଳ ନିଷ୍କାସନ କରାଯିବ । ଯଦି ଉଭୟ ଓଡିଶା ଓ ଛତିଶଗଡରେ ପ୍ରବଳ ବର୍ଷା ହୁଏ ତେବେ ସେ ସମୟର ସ୍ଥିତିକୁ ଦେଖି ବନ୍ୟାଜଳ ନିଷ୍କାସନ ନିଷ୍ପତି ନେବ ବିଭାଗ । ଛତିଶଗଡର ପାଣି ଛାଡିବା ଓ ବର୍ଷା ଉପରେ ନିର୍ଭର କରୁଛି ହୀରାକୁଦ ଡ୍ୟାମର ବନ୍ୟାଜଳ ନିଷ୍କାସନ । ଯଦି ବନ୍ୟା ପରିଚାଳନା ଠିକ୍ ନହୁଏ ତାହେଲେ ୨୦୧୪ ବନ୍ୟାର ପୁନୁରାବୃତ୍ତିି ହେବାର ସମ୍ଭାବନା ଅଛି ।