ମହାନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର: ବର୍ତ୍ତମାନ ଜଳସ୍ତର ୬୧୬.୩୧ ଫୁଟ୍, ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୭୭ ହଜାର କ୍ୟୁସେକ୍ ଜଳ

41

କନକ ବ୍ୟୁରୋ: ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଉପରମୁଣ୍ଡରେ ବର୍ଷା କାରଣରୁ ମହାନଦୀକୁ ନେଇ ଚିନ୍ତା ବଢିଯାଇଛି । ବର୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମରେ ଜଳସ୍ତର ୬୧୬.୩୧ ଫୁଟ୍ ରହିଛି । ଡ୍ୟାମ ବିପଦ ସଂକେତ ୬୩୧ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୭ ହଜାର କ୍ୟୁସେକ୍ ଜଳ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି । ତେଣୁ ହୀରାକୁଦର ଜଳସ୍ତର ଆହୁରି ବଢ଼ିବ ବୋଲି ଡ୍ୟାମ୍ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଚାଲିଥିବା ବେଳେ କାଲି ଗେଟ୍ ଖୋଲିବ । ସେପଟେ ଏଭଳି ସ୍ଥିତିିରେ ଆହୁରି ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇଦେଇଛି । ପାଣିପାଗ ବିଭାଗ ଆକଳନ କହୁଛି, ଆସନ୍ତା ୨୪ ଘଂଟା ଯାଏଁ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଶାଖାନଦୀର ଜଳସ୍ତର ବଢୁଛି । ଏବେ ମହାନଦୀ ଖଇରମାଳରେ ୬.୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡୁଳିଠଶରେ ପ୍ରାୟ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଫଳରେ ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁରରେ ୨୪ଘଂଟିଆ କଂଟ୍ରୋଲ ରୁମ୍ ଖୋଲି ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣପଦ ସେଠୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ତା ଉପରେ ନଜର ରଖିବାକୁ ଆରଟିଓ ଓ ଏମଭିଆଇଙ୍କୁ କୁହାଯାଇଛି । ଦୁର୍ବଳ ନଦୀବନ୍ଧ ଏବଂ କେନାଲ ଉପରେ ସତର୍କ ଦୃଷ୍ଟି ରଖିବାକୁ ମୋବାଇଲ୍ ଟିମ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡଙ୍ଗା, ଜେନେରେଟର, ଲାଇଟ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ତଳିଆ ଅଂଚଳରେ ପାଣି ନିଷ୍କାସନ ଏବଂ ଜରୁରୀକାଳୀନ ସ୍ଥିତିରେ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିପରି ତଳିଆ ଅଂଚଳର ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ପାଇଁ ନିିର୍ଦ୍ଦେଶ ଦେଇଛନ୍ତି ।