ହୀରାକୁଦ ବନ୍ଧ ବାମପଟ ସ୍ପିଲ-ୱେର ହେବ ମରାମତି : ରିମୋଟ ଅପରେଟେଡ ଭେଇକିଲର ସର୍ଭେ ରିପୋର୍ଟରୁ ଏହା ସୂଚନା

114

କନକ ବ୍ୟୁରୋ : ହୀରାକୁଦ ବନ୍ଧ ବାମ ସ୍ପିଲୱେ ଅଂଚଳରେ ମରାମତି ଆବଶ୍ୟକ । ରିମୋଟ ଅପରେଟେଡ ଭେଇକିଲର ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ସର୍ଭେ ରିପୋର୍ଟରେ ୬ଟି ଜାଗାରେ ସିମେଂଟ ଛାଡିଥିବା ଫଟୋରୁ ସ୍ପଷ୍ଟ ହୋଇଛି । ସେହିପରି କାନ୍ଥରୁ କେବଳ ସିମେଂଟ ଛାଡିଛି ନା ବଡ ଫାଟ ମଧ୍ୟ ରହିଛି ସେଥିପାଇଁ ବୁଡାଳି ଲଗାଇ ଆଉ ଥରେ ଯାଂଚ କରାଯିବ ବୋଲି ଅପର୍ ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ କହିଛନ୍ତି ।

୨୦୧୫ଡିସେମ୍ବର ୭ତାରିଖରେ ହୀରାକୁଦ ଜଳଭଣ୍ଡାରରେ ରିମୋଟ ଅପରେଟେଡ ଭେଇକିଲରେ ଅଣ୍ଡର ୱାଟର ସର୍ଭେ ହୋଇଥିଲା। ରୋଭ୍ କ୍ୟାମେରା ସାହାଯ୍ୟରେ ୬୪ଟି ସ୍ଲୁଇସ ଗେଟର ଫଟୋ ଉତୋଳନ କରିଥିଲା । ନୂଆଦିଲ୍ଲୀର ସିଏସଏମଆରଏସର ୩ଜଣିଆ ଟିମ୍ ଏହି ସର୍ଭେ ପରିଚାଳନା କରିଥିଲେ । ପରେ ଚଳିତ ବର୍ଷ ମାର୍ଚ୍ଚରେ ଏହି ଟିମ ବୁର୍ଲାରେ ପହଂଚି ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କରିଥିଲା । ସିଏସଏମଆରଏସ୍ ପ୍ରଥମେ ପାୱାର ଡ୍ୟାମ ଅଂଚଳର ସର୍ଭେ ରିର୍ପୋଟ ଦେଇଥିଲେ ।

ଏହି ରିପୋର୍ଟରେ ପାୱାର ଡ୍ୟାମ୍ ଅଂଚଳ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଦର୍ଶାଇଥିଲେ । ଏବେ ବାମ୍ ସ୍ପିଲୱେ ଅଂଚଳର ସର୍ଭେ ରିପୋର୍ଟ ହୀରାକୁଦ ବନ୍ଧ କର୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ପୂର୍ବରୁ ମରାମତି ହୋଇଥିବା ଫାଟ ଗୁଡିକ ଠିକ୍ ଥିବା ଜଣାପଡିଛି । ବର୍ତମାନ ହୀରାକୁଦ ଡ୍ୟାମ ପ୍ରତି କୌଣସି ବିପଦ ନଥିବା କୁହାଯାଇଛି । ତେବେ ଭବିଷ୍ୟତକୁ ନଜରରେ ରଖି ମରାମତି କରାଯିବାର ଆବଶ୍ୟକତା ରହିଛି । ରାଇଟ୍ ସ୍ପିଲୱେ ଅଂଚଳର ସର୍ଭେ ରିପୋର୍ଟ ଆସିବାକୁ ଏବେ ବି ବାକି ଅଛି ।