ଖୋଲିଲା ହୀରାକୁଦ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ , ତଳିଆ ଅଞ୍ଚଳ ପାଇଁ ସର୍ତକ ସୂଚନା ଜାରି

41

କନକ ବ୍ୟୁରୋ : ଖୋଲିଲା ହୀରାକୁଦ ଗେଟ । ଆଉ ଏହାସହ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ପୂଜାର୍ଚ୍ଚନା ପରେ ଆଜି ମଧ୍ୟାହ୍ନ ୧୨ଟା ବାଜି ୫ ମିନଟ୍ ସମୟରେ ହୀରାକୁଦରୁ ପ୍ରଥମ ବନ୍ୟା ଜଳ ଛଡାଯାଇଛି । ୭ ନମ୍ବର ସୁଇସ୍ ଗେଟ ଖୋଲିବା ସହ ପ୍ରଥମ ବନ୍ୟାଜଳ ଛଡାଯାଇଛି । ଆଉ ଏହାପରେ ପର୍ଯ୍ୟାୟକ୍ରମେ ୧୫ଟି ଗେଟରୁ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ସୂଚନା ମିଳିଛି ।

ବର୍ତମାନ ହୀରାକୁଦର ଜଳପତନ ରହିଛି ୬୧୭ ଦଶମିକ ୭୮ ଫୁଟ । ଜଳଭଣ୍ଡାର ମଧ୍ୟକୁ ବର୍ତମାନ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳପତନ କମାଇବା ପାଇଁ ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯିବ ବୋଲି ଅପର ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ମୁଣ୍ଡଳି ଦେଇ ୭ ଦଶମିକ ୫ ଲକ୍ଷ ଘନଫୁଟ ଜଳ ନିଷ୍କାସନ ହେବ । ହୀରାକୁଦରୁ ଜଳ ନିଷ୍କାସନ ହେବାର ୩୬ ଘଣ୍ଟା ପରେ ଏହା ମୁଣ୍ଡଳିରେ ପହଞ୍ଚିବ । ହୀରାକୁଦ ଗେଟ୍ ଖୋଲିବା ଦ୍ୱାରା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଫଳରେ ତଳିଆ ଅଂଚଳକୁ ସତର୍କ ସୂଚନା ଜାରି କରାଯାଇଛି ।