ଏଭଳି ଏକ ଗାଁ ଯେଉଁଟି ବହେ ଭାଇଚାରାର ପବନ! ଯେଉଁଠି ମୁସଲିମ୍,ଶିଖ୍ ଏବଂ ହିନ୍ଦୁଙ୍କ ମଧ୍ୟରେ ନାହିଁ ଅନ୍ତର । 

36

ସୋସିଆଲ୍ ମିଡିଆରେ ବେଳେବେଳେ ଧର୍ମ,ଜାତିକୁ ନେଇ ବିଭିନ୍ନ ବାଦବିବାଦ ଲାଗି ରହିଥାଏ । ଲୋକେ ସୋସିଆଲ୍ ମିଡିଆର ଜାଲରେ ପଡି ନିଜ ନିଜ ମଧ୍ୟରେ ଥିବା ଭାଇଚାରାକୁ ସଂକଟରେ ପକାଇବା ପାଇଁ ତିଳେମାତ୍ର ସମୟ ମଧ୍ୟ ନେଉନାହାନ୍ତି । କିନ୍ତୁ ଏହି ସୋସିଆଲ୍ ସାଇଟରୁ ଯଦି ବାହାରି ଦେଖିବେ ତେବେ ଏବେ ବି ବହୁ ଦୃଷ୍ଟାନ୍ତ ରହିଛି ଯାହା ଲୋକଙ୍କ ମନରେ ଭାଇଚାରାର ଉଦାହରଣ ସୃଷ୍ଟି କରିବାରେ ଆଗଭର ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଗାଁ’ର ଲୋକଙ୍କ କଥା କହିବାକୁ ଯାଉଛୁ ଯେଉଁମାନଙ୍କ ଭାଇଚାରାର ଉଦାହରଣ ସମସ୍ତଙ୍କ ପାଇଁ ମିଶାଲ୍ ହୋଇରହିଛି । ପଞ୍ଜାବର ମୁମ୍ ନାମକ ଏକ ଗାଁର ଲୋକମାନେ ମିଶି ଉକ୍ତ ସ୍ଥାନରେ ଏକ ମସଜିଦ୍ ତିଆରି କରିବାରେ ସଫଳ ହୋଇଛନ୍ତି । ତେବେ ଆପଣଙ୍କ ଜ୍ଞାତ ସକାଶେ କହିରଖୁଛୁ ଗାଁର ହିନ୍ଦୁ ସଂପ୍ରଦାୟର ଲୋକମାନେ ମସଜିଦ୍ ନିର୍ମାଣ ପାଇଁ ଜମିଦାନ କରିଥିବା ବେଳେ ଶିଖ୍ ସଂପ୍ରଦାୟର ଲୋକମାନେ ଶ୍ରମଦାନ କରିଛନ୍ତି ଏବଂ ମୁସଲିମ୍ ସଂପ୍ରଦାୟର ଲୋକମାନେ ମିଶି ମଧ୍ୟ ମସଜିଦ୍ ନିର୍ମାଣ କାମରେ ଲାଗିପଡିଛନ୍ତି । ତେବେ ଏଭଳି ଭାଇଚାରା କିଭଳି ଆରମ୍ଭ ହେଲା ସେ ବିଷୟରେ ମଧ୍ୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଉୁମ୍ ଗ୍ରାମରେ ୪୫୦୦ ଲୋକ ବାସ କରନ୍ତି । ଯେଉଁଥିରେ ୪୦୦ ମୁସଲିମ୍ ଛୋଟ ମୋଟ କାମ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଉକ୍ତ ଗ୍ରାମରେ ଏକ ମନ୍ଦିର ତୋଳାଗଲା ଯାହାର ନିର୍ମାଣ କାମ ମୁସଲମାନ୍ ମିସ୍ତ୍ରୀଙ୍କୁ ଦିଆଗଲା । ମନ୍ଦିର ସମ୍ପୁର୍ଣ୍ଣ ହେବା ପରେ ଉକ୍ତ ମୁସଲିମ୍ ମିସ୍ତ୍ରୀ ମନ୍ଦିର ପ୍ରଶାସକଙ୍କୁ ଏକ ଚିଠି ଲେଖିଲେ ଯେଉଁଥିରେ ଗାଁରେ ଏକ ମସଜିଦ୍ ନିର୍ମାଣ ହେବା ପାଇଁ ଅପିଲ୍ ରହିଥିଲା । ଯାହାକୁ ମନ୍ଦିର ପ୍ରଶାସନ ଗମ୍ଭୀର ସହ ନେଇ ମସଜିଦ୍ ପାଇଁ ମୁସଲମାନଙ୍କୁ ୯୦୦ ସ୍ୱେୟାରର ଜମିଦାନ କରିଥିଲେ । ଏହାପରେ ମୁସଲମାନ୍ ସେଠାରେ ମସଜିଦ୍ ନିିର୍ମାଣ କାମ କରିବା ଆରମ୍ଭ କରିଦେଲେ । ଏହାପରେ ପାଖରେ ଥିବା ଗୁରୁଦ୍ୱାରରୁ ଶିଖ୍ ସଂପ୍ରଦାୟର ଲୋକମାନେ ଆସି ନିର୍ମାଣ କାର୍ଯ୍ୟରେ ମୁସଲିମଙ୍କ ସାହାଯ୍ୟ କରିଥିଲେ । ତେବେ ଏଠାକାର ଧର୍ମାନୁଷ୍ଠାନରେ ସବୁ ସଂପ୍ରଦାୟର ଲୋକଙ୍କୁ ଯିବାକୁ ଅନୁମତି ରହିଛି ।