ସମ୍ବଲପୁରରେ ଭାଇଚାରାର ନିଆରା ନିଦର୍ଶନ : ମହରମ୍ ଅବସରରେ ହିନ୍ଦୁ ପଢିଆରୀ ଘରୁ ବାହାରିଲା ତାଜିଆ ଶୋଭାଯାତ୍ରା

55

କନକ ବ୍ୟୁରୋ : ଆଜି ହେଉଛି ମୁସଲସାନଙ୍କ ପବିତ୍ର ମହରମ ପର୍ବ । ଇମାମ ହସନଙ୍କ ସ୍ମୃତିରେ ତ୍ୟାଗ ଓ ବଳିଦାନରଏହି ପର୍ବକୁ ମୁସଲମାନ ସଂପ୍ରଦାୟର ଲୋକେ ଏହି ପର୍ବ ପାଳନ କରିଥାନ୍ତି । କିନ୍ତୁ ସମ୍ବଲପୁର ମୋଦିପଡ଼ା ଠାରେ ଏକ ହିନ୍ଦୁ ପଢ଼ିଆରୀ ପରିବାର ଏହି ପର୍ବକୁ ଦୀର୍ଘ ୩୫୩ ବର୍ଷ ଧରି ଶ୍ରଦ୍ଧା ଓ ବିଶ୍ୱାସର ସହିତ ପାଳନ କରିଆସୁଛନ୍ତି ।

ହିନ୍ଦୁ ମୁସଲିମ ଭାଇଚାରାର ନିଦର୍ଶନ ହେଉଛି ସମ୍ବଲପୁରର ତାଜିଆ ଶୋଭାଯାତ୍ରା । ଜାତୀୟ ଓ ସାଂପ୍ରଦାୟିକ ସଂହତିର କିମ୍ବଦନ୍ତୀରେ ପରିଣତ ହୋଇଥିବା ଏହି ତାଜିଆ ଶୋଭାଯାତ୍ରା ସମ୍ବଲପୁର ସହର ପରିକ୍ରମା କରିଛି । ଏହି ତାଜିଆକୁ ହିନ୍ଦୁ ଧର୍ମର ଭାଇମାନେ କାନ୍ଧରେ ବୋହି ସହର ପରିକ୍ରମା କରୁଥିବା ବେଳେ ଏହାର ପୂଜାବିଧି ସଂପୁର୍ଣ୍ଣ ଇସଲାମିକ୍ ରୀତିନୀତିରେ କରାଯାଇଛି ।

ସମ୍ବଲପୁରରେ ହିନ୍ଦୁ ଘରୁ ତାଜିଆ ଶୋଭାଯାତ୍ରା ବାହାରିବା ୩୫୩ ବର୍ଷର ପୁରୁଣା ପରମ୍ପରା । ସ୍ଥାନୀୟ ପଢ଼ିଆରୀ ବଂଶର ପୂର୍ବଜ ଜୟଦେବ ପଢ଼ିଆରୀ ୧୬୬୪ ମସିହାରେ ଇସଲାମର ଶ୍ରେଷ୍ଠ ତୀର୍ଥ ମକ୍କା-ମଦିନାକୁ ହଜଯାତ୍ରାରେ ଯାଇଥିଲେ । ସେଠାରୁ ଫେରିବା ପରେ ସମ୍ବଲପୁରରେ ମହରମ୍ ପର୍ବ ବେଳେ ତାଜିଆ ଯାତ୍ରା ବାହାର କରିଥିଲେ । ତତ୍କାଳୀନ ମହାରାଜା ଛତ୍ରସିଂହ ତାଜିଆ ଯାତ୍ରା ବାହାର ପାଇଁ ଅନୁମତି ଦେଇଥିଲେ । ଏହି ତାଜିଆ ଯାତ୍ରା ସମ୍ବଲପୁର ସହରରେ ସେତେବେଳେ ପ୍ରଥମ ହୋଇଥିବା ବେଳେ ଆଜି ବି ଏକ ସମୃଦ୍ଧ ପୀଢ଼ି ଅନୁସାରେ ଏହି ଶୋଭାଯାତ୍ରାକୁ ବଜାୟ ରଖିଛନ୍ତି ଜୟଦେବ ପଢ଼ିଆରୀଙ୍କ ଉତ୍ତରାଧିକାରୀ । ୨୮ ବର୍ଷ ହେଲା ପଢ଼ିଆରୀ ବଂଶର ସୁଯୋଗ୍ୟ ଦାୟଦ ଲାଲମୋହନ ପଢିଆରୀ ଏବଂ ନିଳିମା ପଢିଆରୀ ତାଜିଆ ଶୋଭାଯାତ୍ରା ବାହାର କରିଆସୁଛନ୍ତି ।

ପଢ଼ିଆରୀ ପରିବାର ତାଜିଆ ଶୋଭାଯାତ୍ରା ବାହାର କରିବାରେ କୌଣସି ଅର୍ଥିକ ସମସ୍ୟାର ସମ୍ମୁଖୀନ ନହୁଅନ୍ତି । ସେଥିପାଇଁ ଜୟଦେବ ପଢ଼ିଆରୀ ନିଜର ୨୧ ଡ଼ିସିମିଲ ଜମି ଦାନ କରିଥିଲେ । ଯେଉଁ ଜମିରୁ ଭଡା ବାବଦକୁ ଆସୁଥିବା ଅର୍ଥ ଏବଂ ପରିବାରର କିଛି ଅନୁଦାନରେ ଏହି ଶୋଭାଯାତ୍ରା ବାହାରିଥାଏ । ଏଭଳି ପରମ୍ପରାକୁ ସମସ୍ତେ ପସନ୍ଦ କରୁଥିବା ବେଳେ ଏହା ହିନ୍ଦୁ ମୁସଲମାନର ଭାଇଚାରାକୁ ମଜବୁତ କରିବ କୁହନ୍ତି ସମ୍ବଲପୁରବାସୀ ।

ମହରମ୍ ଅବସରରେ ସହରର ଅନେକ ସ୍ଥାନରୁ ତାଜିଆ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥାଏ । ଆଉ ଏହି ସମୟରେ ଆଖଡ଼ା ଖେଳ ହୋଇଥାଏ । ହେଲେ ସବୁଠୁ ନିଆରା ପଢ଼ିଆରୀ ବଂଶର ଏହି ତାଜିଆ ଯାତ୍ରା ।