ଜଟିଳ ହେଉଛି ହିନ୍ଦୋଳ ରାଜନୀତି ! ବିଜେଡି ଦୁର୍ଗ ଭେଦିବାକୁ ବିରୋଧୀଙ୍କ ରଣନୀତି, ଗଡ଼ର ଦାୟିତ୍ୱ କାହା ହାତରେ ଦେବେ ସୁପ୍ରିମୋ ?

430

କନକ ବ୍ୟୁରୋ: ହିନ୍ଦୋଳରେ ରାଜନୈତିକ ସ୍ଥିତି ଜଟିଳ । ଆସନ୍ତା ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଏବଂ ତା ଅଧନସ୍ତ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ତେବେ ଢ଼େଙ୍କାନାଳ ସସଂଦୀୟ କ୍ଷେତ୍ରରେ ଆସୁଥିବା ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ହାୱା ଟିକେ ଗରମ ହେବାରେ ଲାଗିଛି । ଆଉ ଏହି ବିଧାନସଭା କ୍ଷେତ୍ରକୁ ହାତେଇ ବିଜୟ ତିଳକ ପିନ୍ଧିବା ପାଇଁ ଗୋଟି ଚାଳନା କରୁଛନ୍ତିୁ ଶାସକ ଓ ବିରୋଧୀ ବୋଲି ସ୍ଥାନୀୟ ମହଲରେ ଶୁଣିବାକୁ ମିଳୁଛି ।

ହିନ୍ଦୋଳ ଓ ଓଡ଼ପଡ଼ା ବ୍ଲକର ୬୩ଟି ପଞ୍ଚାୟତ ଏବଂ ହିନ୍ଦୋଳ ଏନଏସିକୁ ମିଶାଇ ଏହି ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଗଠିତ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୀମାରାଣୀ ନାୟକ ୮୪,୩୫୧ଟି ଭୋଟ ପାଇ ବିଜୟୀ ହୋଇଥିଲେ । ସେହିଭଳି ବିଜେପିର ଲକ୍ଷ୍ମୀଧର ବେହେରା ଦ୍ବିତୀୟ ସ୍ଥାନ ଏବଂ କଂଗ୍ରେସ ପ୍ରାର୍ଥୀ ନମିତା ନାଏକ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ାହୋଇ ୧୨,୩୦୪ଟି ଭୋଟ ପାଇବାକୁ ସମର୍ଥ ହୋଇଥିଲେ।

ଗତ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ମୁକାବିଲା ସତ୍ୱେ ମୋଟ ୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪ଟି ବିଜେଡି ଦଖଲ କରିଥିବାବେଳେ ବହୁ କମ୍ ବ୍ୟବଧାନରେ ବିଜେପି ୩ଟି ଆସନ ପାଇଥିଲା । କଂଗ୍ରେସ କିନ୍ତୁ ଖାତା ଖୋଲି ପାରିନଥିଲା। ଗତ ହିନ୍ଦୋଳ ଏନଏସି ନିର୍ବାଚନରେ ୧୬ଟି ୱାର୍ଡରୁ ୧୩ଟିରେ ବିଜେଡି ବାଜିମାତ୍ କରିଥିଲା। ଗୋଟିଏ ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଅନ୍ୟ ୨ଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେଡିର ଏଭଳି ଲଗାତର ସଫଳତା ଏବଂ ବ୍ୟକ୍ତିଗତ ସଂଗଠନ ଯୋଗୁଁ ସୀମାରାଣୀ ଟିକେଟ ହାସଲ କରିବେ ବୋଲି ଆଶାବାଦୀ। ସେହିପରି କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ନମିତା ନାୟକ ଟିକେଟ ପାଇଁ ଜୋର୍ଦାର ଲବି କରୁଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଦୀର୍ଘ ଦୁଇ ଦଶନ୍ଧି ଧରି ହିନ୍ଦୋଳକୁ କବଜାରେ ରଖିଥିବା ବିଜେପି ଏଥର ବାଜି ଖେଳିବାକୁ ଯୋଜନା କରୁଛି । ତେଣୁ ବିଜେପି ନେତା ଲକ୍ଷ୍ମୀଧର ବେହେରା ସାଧାରଣ ନିର୍ବାଚନରେ ୨ଥର ପରାସ୍ତ ହୋଇଥିଲେ ମଧ୍ୟ ସମର୍ଥକମାନଙ୍କ ସହ ବିଭିନ୍ନ ସ୍ଥାନରେ ସଭା ଜାରି ରଖିଛନ୍ତି। ସେହିପରି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ସେଲ୍ ସଭାପତି ବିରଞ୍ଚି ନାୟକ ଦଳୀୟ ବିକାଶର ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ବିଜେପି ନେତା ଦୁଷ୍ମନ୍ତ ନାୟକ ମଧ୍ୟ ସମର୍ଥକଙ୍କ ସହ ସଂଗଠନ ଚଳାଇଛନ୍ତି। ସେ ଦୁହେଁ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାବାଦୀ ଥିବା ଆଲୋଚନା ହୋଉଛି। ହେଲେ ଦେଖିବାର କଥା ଯେ, ଦଳୀୟ ହାଇକମାଣ୍ଡ କାହାକୁ ହିନ୍ଦୋଳ ଆସନ ପାଇଁ ଚୟନ କରୁଛନ୍ତି ।

ଉଭୟ ବିଜେଡି ଓ ବିଜେପିକୁ ମାତ୍ ଦେବାକୁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛି । ଏପରିକି ପିସିସି ସଭାପତି ପଦ ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଆସିବା ପରେ କଂଗ୍ରେସର ସାଂଗଠନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ କଂଗ୍ରେସ ନେତା କର୍ମୀ ଦିବାକର ନାୟକ ଗାଁକୁ ଗାଁ ବୁଲି କଂଗ୍ରେସ ହାତକୁ ଶାସନ ଫେରାଇ ଆଣିବାକୁ ସଂଗଠନ ସୁଦୃଢ଼ କରିବାକୁ ଉଦ୍ୟମ ଚଳାଇଛନ୍ତି । ତେଣୁ ଏଥର ତାଙ୍କୁ ଟିକେଟ୍ ମିଳିବ ବୋଲି ସମର୍ଥକମାନେ ଦାବି କରୁଛନ୍ତି । ଦିବାକରଙ୍କ ବ୍ୟତୀତ କଂଗ୍ରେସ ମମତାଞ୍ଜଳି ବେହେରା ଓ ବାମଦେବ ନାୟକଙ୍କ ନାମ ଏଆଇସିସି ସିଇସିକୁ ସୁପାରିସ କରିଥିବା ଭାଇରାଲ ହୋଇଥିଲା । ଏବେ କିଏ ଏଠାରୁ ଟିକେଟ୍ ପାଇବ ତାହାକୁ ନେଇ ସସପେନ୍ସ ଜାରି ରହିଛି ।

ଏସବୁ ବାଦ୍ ହିନ୍ଦୋଳ ନିର୍ବାଚନମଣ୍ଡଳୀରେ କୁ ଅକ୍ତିଆର କରିବାକୁ ଶାସକ ଓ ବିରୋଧୀ ଧିରେ ଧିରେ ଶକ୍ତି ଗୋଟାଉଥିବା ଦେଖିବାକୁ ମିଳୁଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନଙ୍କର ଟିକେଟ ଲବି ଜୋର୍ ଧରିଛି । ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନାକୁ ଭିତ୍ତି କରି ନିଜସ୍ବ ସଂଗଠନ ଆଧାରରେ ବିଜେଡି, କେନ୍ଦ୍ର ସରକାରଙ୍କ ଜନାଭିମୁଖୀ ଯୋଜନା, ବ୍ୟକ୍ତିଗତ ଜନସଂପର୍କ ଭରସାରେ ବିଜେପି ଏବଂ ଦଳର ଐତିହ୍ୟ ଓ ସଂଗଠନକୁ ପୁଞ୍ଜିକରି କଂଗ୍ରେସ ପ୍ରାର୍ଥୀମାନେ ନିଜର ଟିକେଟ ହାସଲ ପାଇଁ ଲାଗିପଡ଼ିଛନ୍ତି। କିନ୍ତୁ କାହାକୁ ଏବଂ କେଉଁ ମାପକାଠିରେ ଦଳୀୟ ସୁପ୍ରିମୋ ଟିକେଟ୍ ପ୍ରଦାନ କରିବେ ତାହା ଉପରୁ କିଛି ଦିନ ମଧ୍ୟରେ ପରଦା ଉଠିଯିବ ।