ହାରିଗଲେ ଲଢୁଆ ପୁଲିସ୍ ଅଫିସର । ନିଜ ବନ୍ଧୁକରେ ଗୁଳିକରି ବରିଷ୍ଠ ଆଇପିଏସ୍ ହିଂମାଶୁ ରାୟଙ୍କ ଆତ୍ମହତ୍ୟା । ମହାରାଷ୍ଟ୍ର ଏଟିଏସର ଥିଲେ ପୂର୍ବତନ ମୁଖ୍ୟ

52

କନକ ବ୍ୟୁରୋ: ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଏକଦା ନିଦ ହଜାଇ ଦେଇଥିବା ଆଇପିଏସ୍ ଅଫିସର ଶେଷକୁ ହାରିଗଲେ କ୍ୟାନସର ସାମ୍ନାରେ । ନିଜ ସର୍ଭିସ ରିଭଲଭର୍ରୁ ଗୁଳିଚଳାଇ ଆତ୍ମହତ୍ୟ କଲେ । ସେ ହେଉଛନ୍ତି, ମୁମ୍ବାଇର ଦବଙ୍ଗ ପୁଲିସ ଅଫିସର ହିମାଂଶୁ ରାୟ । ଆଜି ମାଲାବାର ହିଲ୍ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି ହିମାଂଶୁ , ଆଉ ସ୍ତବ୍ଧ ହୋଇଯାଇଛି ମୁମ୍ବାଇ ପୁଲିସ୍ ।

ମୁମ୍ବାଇର ସୁପରକପ୍ କୁହାଯାଉଥିବା ଆଇପିଏସ୍ ଅଫିସର ହିମାଂଶୁ ରାୟଙ୍କ ଘରୁ ହଠାତ ଶୁଭେ ଗୁଳି ଫୁଟିବାର ଶବ୍ଦ । ସର୍ଭିସ୍ ରିଭଲଭର୍ରୁ ହିମାଂଶୁ ନିଜକୁ ଗୁଳି ମାରିଥିବା ପରିବାର ଲୋକ ଦେଖିବାକୁ ପାଆନ୍ତି । ତୁରନ୍ତ ହିମାଂଶୁଙ୍କୁ ବମ୍ବେ ହସ୍ପିଟାଲରେ ଭର୍ତି କରାଯାଏ ତେବେ ତାଙ୍କୁ ମୃତ ଘୋଷଣା କରନ୍ତି ଡାକ୍ତର । କ୍ୟାନସରରେ ପୀଡ଼ିତ ଏହି ପୂର୍ବ ଏଟିଏସ୍ ମୁଖ୍ୟ ନିଜ ମୁହଁ ଭିତରକୁ ସିଧାସଳଖ ଗୁଳି ମାରିଥିବାରୁ ତାଙ୍କୁ ବଂଚାଇବା ସମ୍ଭବ ହୋଇନଥିବା କହନ୍ତି ଡାକ୍ତର । ହିମାଂଶୁଙ୍କ ଆତ୍ମହତ୍ୟା ପରେ ମୁମ୍ବାଇ ପୁଲିସ୍ ଅନ୍ୟଜଣେ ସାହସୀ ପୁଲିସ୍ ଅଫିସରଙ୍କୁ ହରାଇଛି ।

ହିମାଂଶୁ ରାୟଙ୍କ ନେତୃତ୍ୱରେ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ..

• ୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ବିନ୍ଦୁ ଦାରା ସିଂଙ୍କ ଗିରଫଦାରୀ ।

• ଦାଉଦର ସାନଭାଇ ଇକବାଲର ଡ୍ରାଇଭର ଆରିଫ୍ ଏନକାଉଁଟର୍ ।

• ସାମ୍ବାଦିକ ଜେ,ଦେ. ହତ୍ୟାର ପର୍ଦ୍ଦାଫାଶ୍ ।

• ବିଜୟ ପାଲାଣ୍ଡେ-ଲୈଲା ଖାନ୍ ଡବଲ ମର୍ଡରର ପର୍ଦ୍ଦାଫାଶ୍ ।

• ଆଇନ୍ ଛାତ୍ରୀ ପଲ୍ଲବୀ ପୁରକାୟସ୍ତ ହତ୍ୟାର ପର୍ଦ୍ଦାଫାଶ୍ ।

ତେବେ ଅପରାଧୀଙ୍କୁ ଜେଲର କାଳକୋଠରୀକୁ ପଠାଇ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଏକଦା ନିଦ ହଜାଇ ଦେଇଥିବା ହିମାଂଶୁ ଶେଷକୁ କ୍ୟାନସର ସାମ୍ନାରେ ହାରିଯାଇଛନ୍ତି । ରୋଗ ଯୋଗୁ ଜୀବନ ନୁହଁ ମୃତ୍ୟୁ ଅଧିକ ସହଜ ଲାଗିଲା ତାଙ୍କୁ । ଆଉ ୫୪ ବର୍ଷ ବୟସରେ ଆତ୍ମହତ୍ୟାର ବାଟ ବାଛିନେଲେ ୧୯୮୮ ବ୍ୟାଚର ଏହି ବାହାଦୁର୍ ଆଇପିଏସ୍ ଅଫିସର । ମୁମ୍ବାଇ ଏଟିଏସ୍ ମୁଖ୍ୟ, ଜଏଂଟ୍ ପୁଲିସ୍ କମିସନର୍, ପଦବୀରେ ରହିଥିବା ହିମାଂଶୁ ୨୦୧୫ରେ ବଦଳିରେ ପକ୍ଷପାତିତାର ଅଭିଯୋଗ ଆଣି ଆସିଥିଲେ ଚର୍ଚ୍ଚାକୁ । ଏହା ପରେ ହିମାଂଶୁଙ୍କୁ ଏଟିଏସ୍ ମୁଖ୍ୟ ପଦବୀରୁ ହଟାଇ ଅନ୍ୟ ପଦରେ ଅବସ୍ଥାପିତ କରାଯାଇଥିଲା । ହିମାଂଶୁଙ୍କ ଆତ୍ମହତ୍ୟାରେ ଏକପ୍ରକାର ସ୍ତବଧ ହୋଇଯାଇଛି ମୁମ୍ବାଇ ପୁଲିସ୍ ।