ଫସିଥିବା ଓଡିଆ ତୀର୍ଥ ଯାତ୍ରୀଙ୍କ ପାଇଁ ଚିନ୍ତା । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ଉତ୍ତର ଭାରତରେ ପ୍ରବଳ ତୁଷାରପାତ ହେବା ଯୋଗୁଁ ୪୨ ଓଡିଆ ଫସିରହିଛନ୍ତି

133

କନକ ବ୍ୟୁରୋ : ଉତ୍ତର ଭାରତରେ ପ୍ରବଳ ତୁଷାରପାତ ହେବା ଯୋଗୁଁ ୪୨ ଓଡିଆ ଫସିରହିଛନ୍ତି । ସମସ୍ତ ୪୨ ଜଣ ଗଜାଂମ ଭଜଂନଗର ଅଚଂଳର ବୋଲି ଜଣାପଡିଛି । ପ୍ରବଳ ବରଫ ଯୋଗୁଁ ସେମାନଙ୍କ ସହିତ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ , ସମସ୍ତ ଓଡିଆଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ଟୁଇଟ କରିଥିଲେ । ତେବେ ଏହାର ପ୍ରତିଉତ୍ତର ଦେଇ ଶ୍ରୀ ରାୱତ କହିଛନ୍ତି ଯେ, ସମସ୍ତ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରାଇବାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

 

ଉଲ୍ଲେଖ ଥାଉ କି, ଉତ୍ତର ଭାରତର ତିନିଟି ପାହାଡି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳପ୍ରଦେଶ , ଜମ୍ମୁକଶ୍ମୀର ଓ ଉତରାଖଣ୍ଡରେ ବରଫ ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁକଶ୍ମୀରର ଶ୍ରୀନଗର ସମେତ ଲଦାଖ ଓ ଲେହ ଅଂଚଳରେ ପ୍ରବଳ ତୁଷାର ପାତ ହୋଇଛି । ଚାରିଆଡେ ତୁଷାର ପଡିବା ଯୋଗୁଁ ସମଗ୍ର ଅଂଚଳ ଯେମିତି ଧଳା ଚାଦର ଘୋଡେଇ ହେବା ପରି ଲାଗୁଛି । ଧଳା ଚାଦରରେ ଘୋଡେଇ ହୋଇଛି ଘର ଦ୍ୱାରା, ଗଛ ପାହାଡ ।

 

ତୁଷାର ଜମା ହେବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଏହାକୁ ହଟାଇବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ୯ବର୍ଷ ପରେ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ହିଁ ତୁଷାରପାତ ଆରମ୍ଭ ହୋଇଛି । ଅନ୍ୟପଟେ ତୁଷାରପାତ ଭରପୂର ମଜାନେବା ପାଇଁ ପର୍ଯ୍ୟଟକଙ୍କ ଭିଡ ଆରମ୍ଭ ହୋଇଛି । ସେହିପରି ଉତରାଖଣ୍ଡର ପାହାଡିଆ ଅଂଚଳରେ ତୁଷାରପାତ ହୋଇଛି । ସେପଟେ ତୁଷାରପାତ ଯୋଗୁଁ ପାରଦ ତଳମୁହାଁ ହୋଇଛି ଓ ଥଣ୍ଡା ବଢ଼ିବାରେ ଲାଗିଛି ।