ଭାରତର ନୂଆ ଉଡନ୍ତା ପରୀ : ମିଲଖା ସିଂ ଓ ପିଟି ଉଷାଙ୍କ ରେକର୍ଡ ଭାଙ୍ଗିଲେ ହିମା ଦାସ, ୪ଶହ ମିଟରକୁ ୫୧ ଦଶମିକ ୪୬ ସେକେଣ୍ଡ ଦୌଡି ଜିତିଲେ ସ୍ୱର୍ଣ୍ଣ

58

କନକ ବ୍ୟୁରୋ : ଇତିହାସ ରଚିଲେ ଭାରତୀୟ ଧାବିକା ହିମା ଦାସ । ଆସାମର ଏହି ୧୮ ବର୍ଷୀୟା ଝିଅ ଆଇ.ଏ.ଏ.ଏଫ ବିଶ୍ୱ ୨୦ ବର୍ଷରୁ କମ ଦୌଡକୁଦ ପ୍ରତିଯୋଗିତାର ୪ଶହ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ଫିନଲାଣ୍ଡର ଟାମ୍ପେର ଠାରେ ଆୟୋଜିତ ଦୌଡକୁଦ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟର ଦ୍ରୁତତମ ଧାବିକା ଭାବେ ହିମା ଫାଇନାଲକୁ ଯାଇଥିଲେ । ସେ ୪ଶହ ମିଟରକୁ ୫୧ ଦଶମିକ ୪୬ ସେକେଣ୍ଡରେ ଦୌଡିବା ସହ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ଗର୍ବିତ କରିଛନ୍ତି । ଏହି ଅନନ୍ୟ ସଫଳତା ପାଇଁ ହିମା ଦାସ ଜାଭେଲିନ ତାରକା ନିରଜ ଚୋପ୍ରାଙ୍କ କ୍ଲବରେ ସାମିଲ ହୋଇଛନ୍ତି । ନିରଜ ୨୦୧୬ରେ ପୋଲାଣ୍ଡରେ ଆୟୋଜିତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ । ହେଲେ ଦୌଡକୁଦରେ ସ୍ୱର୍ଣ୍ଣପଦକ ପାଇବାରେ ହିନା ଦାସ ହେଉଛନ୍ତି ପ୍ରଥମ ଭାରତୀୟ ।

ହିମା ପୂର୍ବରୁ ଦୌଡ଼କୁଦରେ କୌଣସି ଭାରତୀୟ ପଦକ ଜିତିବାର ସୌଭାଗ୍ୟ ଲାଭ କରିନଥିଲେ। କେବଳ ୨୦୦୨ରେ ସୀମା ପୁନିଆ ଏବଂ ୨୦୧୪ରେ ନଭଜ୍ୟୋତ ସିଂହ ଢିଲୋଁ ଡିସକସରେ କାଂସ୍ୟ ପଦକ ଜିତିଥିଲେ।

ରୋମାନିଆର ଆନ୍ଦ୍ରିଆ ମିକାଲୋସ୍ (୫୨.୦୭ ସେକେଣ୍ଡ) ରୌପ୍ୟ ଏବଂ ଆମେରିକାର ଟେଲର ମାନସନ୍ (୫୨.୨୮ ସେକେଣ୍ଡ) ଏହି ବର୍ଗରେ କାଂସ୍ୟ ପଦକ ପାଇଥିଲେ। ହିମାଙ୍କୁ ଏହି ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦ ଅଭିନନ୍ଦନ ଜଣାଇଛନ୍ତି। ହିମା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ। ଜାକର୍ତା ଏସୀୟ କ୍ରୀଡ଼ା ଲାଗି ବି ସେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।