ସୁବର୍ଣ୍ଣପୁରରେ ଝାଡାବାନ୍ତି ଆତଙ୍କ ! ରୋଗ ବ୍ୟାପୀବାର କାରଣ ଖୋଜୁଛି ଜନସ୍ୱାସ୍ଥ୍ୟ ବିଭାଗ

ଦୂଷିତ ପିଇବା ପାଣି ରୋଗର କାରଣ ବୋଲି ଅଭିଯୋଗ ପରେ ସହରକୁ ପାଇପ୍ ଯୋଗେ ଜଳ ଯୋଗାଣ ବନ୍ଦ, ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ

48

କନକ ବ୍ୟୁରୋ : କିଛି ଦିନ ହେବ ସୁବର୍ଣ୍ଣପୁରରେ ଡାଇରିଆର ଆତଙ୍କ ଦେଖାଯାଇଛି । ଏଥିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ପିଇବା ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ସହରକୁ ଯୋଗା ଯାଉଥିବା ମହାନଦୀ ପାଣି ଦୂଷିତ କାରଣରୁ ଡାଇରିଆ ବ୍ୟାପୁଛି ଅଭିଯୋଗ ପରେ ପାଣି ପ୍ରଦୂଷଣର କାରଣ ଖୋଜୁଛି ଜନସ୍ୱାସ୍ଥ୍ୟ ବିଭାଗ ।

ସୁବର୍ଣ୍ଣପୁରରେ ଝାଡାବାନ୍ତି ଆତଙ୍କ । ସହରର ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଦୂଷିତ ପିଇବା ପାଣି ଯୋଗୁଁ ରୋଗ ବ୍ୟାପୁଥିବା ନେଇ ଅଭିଯୋଗ ପରେ ଚିନ୍ତାରେ ପଡିଛି ଜନସ୍ୱାସ୍ଥ୍ୟ ବିଭାଗ । ସୁବର୍ଣ୍ଣପୁର ମହାନଦୀର ଦଶମତୀ ଘାଟ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ୍ ଯୋଗେ ସହରକୁ ପିଇବା ପାଣି ଯୋଗାଇ ଦିଆଯାଉଛି । ଆଉ ଏହି ପାଣି ପାଇପ୍ ଗୁଡିକ ବିଭିନ୍ନ ଡ୍ରେନ ଉପରେ ଓ ତଳେ ଯାଇଛି । ଅନେକ ସ୍ଥାନରେ ପାଣି ପାଇପ୍ ଫାଟି ଯିବାରୁ ସେଥିରେ ଡ୍ରେନ ପାଣି ପଶି ଯାଉଛି । ଫଳରେ ଜଳ ପ୍ରଦୂଷଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରେ ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହେବା ପରେ ତତ୍ପର ହୋଇଛି ଜନସ୍ୱାସ୍ଥ୍ୟ ବିଭାଗ । ଦୂଷିତ ପିଇବା ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ନେଇ ଅଭିଯୋଗ ହେବା ପରେ ପାଣି ପ୍ରଦୂଷଣର କାରଣ ଖୋଜା ଆରମ୍ଭ ହୋଇଛି । ଦୂଷିତ ପାଣି ପିଇ ଲୋକେ ଅସୁସ୍ଥ ହୋଇଥିବା କଥାକୁ ସ୍ୱୀକାର କରିବା ସହ ସହରର ସମସ୍ତ ଜଳ ଯୋଗାଣକୁ ବନ୍ଦ କରି ଦେଇଛି ବିଭାଗ । ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଏହାସହ ବିଭିନ୍ନ ସ୍ଥାନରେ ପାଇପ୍ ଖୋଳି ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛିି । ସହରର ଅଧିକାଂଶ ପାଇପ ଡ୍ରେନ ଭିତରେ ଯାଇଥିବାରୁ ଏହାକୁ ପରିବର୍ତନ କରିବା ଜନସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ।