ଓଡ଼ିଶାରେ କ୍ୟାନସର ଆତଙ୍କ ! ସଂସଦରେ ସାଙ୍ଘାତିକ ତଥ୍ୟ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ରାଜ୍ୟରେ ଦିନକୁ ଆଖି ବୁଜୁଛନ୍ତି ୬୯ଜଣ । ଜାଣନ୍ତୁ କେଉଁ ରୋଗୀଙ୍କ ସଂଖ୍ୟା ଅଧିକ

62

କନକ ବ୍ୟୁରୋ : କ୍ୟାନସର କବଳରେ ଓଡିଶା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ମିଳିଛି ଏପରି ଏକ ଉଦବେଗଜନକ ତଥ୍ୟ । ଲୋକସଭାରେ ଆଗତ ଏହି ରିପୋର୍ଟ ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ । ପ୍ରତିବର୍ଷ ଏହି ରୋଗରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଆମ ରାଜ୍ୟରେ ସର୍ବାଧିକ । ଓଡିଶାରେ ଦୈନିକ ହାରାହାରି ୬୯ ଜଣଙ୍କ ମୃତ୍ୟୁ ହେଉଥିବା ଏହି ଜାତୀୟ ରିପୋର୍ଟରେ ଉଲ୍ଲେଖ ରହିଛି । ବିଶେଷଜ୍ଞଙ୍କ ମତରେ ପରିବର୍ତିତ ଜୀବନଶୈଳୀ ହିଁ ଏହି ମହାମାରୀର ମୁଖ୍ୟ କାରଣ ।

ଓଡ଼ିଶାରେ ଦୈନିକ କ୍ୟାନସରରେ ମରୁଛନ୍ତି ୬୯ ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଛି ଏପରି ଚାଂଚଲ୍ୟକର ତଥ୍ୟ । ଲୋକସଭାରେ ଏହି ରିପୋର୍ଟ ଦାଖଲ ହେବା ପରେ ଏହି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ରିପୋର୍ଟ ଅନୁସାରେ ଓଡ଼ିଶାରେ ବଢୁଛି କ୍ୟାନସର ରୋଗୀଙ୍କ ସଂଖ୍ୟା । କେବଳ ସେତିକି ନୁହେଁ ପ୍ରତିବର୍ଷ ଏହି ରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଆମ ରାଜ୍ୟରେ ବଢିଚାଲିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରତିବର୍ଷ ପାଖାପାଖି ୫୦ ହଜାର ନୂଆ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ଦୁର୍ଭାଗ୍ୟର କଥା ହେଉଛି ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି ଏହାର ଅଧାରୁ ଅଧିକ ରୋଗୀ ମୃତ୍ୟୁବରଣ କରୁଛନ୍ତି ।

ତିନି ବର୍ଷର ପରିସଂଖ୍ୟାନ ଉପରେ ନଜର ପକାଇଲେ ଓଡ଼ିଶାକୁ କ୍ୟାନସର କିଭଳି କବଳିତ କରୁଛି ତାହା ଜାଣିପାରିବେ ।
୨୦୧୪ରେ ୪୫,୭୩୬ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁବରଣ କରିଥିଲେ ୨୩,୦୪୩
୨୦୧୫ରେ ୪୭, ୬୬୬ କ୍ୟାନସର ରୋଗୀ ଚିହ୍ନଟ ଓ ମୃତ୍ୟୁ ସଂଖ୍ୟା ୨୪,୦୧୯
ସେହିପରି ୨୦୧୬ରେ ୪୯ ହଜାର ୬୭୪ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ଏହି ରୋଗରେ ପ୍ରାଣ ହରାଇଛନ୍ତି ୨୫, ୦୩୫

ବିଶେଷ କରି ମୁଖଗହ୍ୱର କ୍ୟାନସର ଓ ବ୍ରେଷ୍ଟ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଗୁଟଖା, ଟବାକୋ ସେବନ, ଲାଇଫ୍ ଷ୍ଟାଇଲରେ ପରିବର୍ତନ, ବିଭିନ୍ନ ପ୍ରକାର ମାନସିକ ଚାପ ବୃଦ୍ଧି ପାଉଥିବାରୁ ଏହି ପ୍ରାଣଘାତୀ ରୋଗ ସାଂଘାତିକ ରୂପ ନେବାରେ ଲାଗିଛି । ସେପଟେ ସଚେତନତାର ଅଭାବ ଯୋଗୁଁ ଶେଷ ପର୍ଯ୍ୟାୟରେ ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ । ଯାହା ରୋଗୀଙ୍କୁ ମୃତ୍ୟୁମୁଖକୁ ପେଲିଦେଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୧୬ରେ ଦେଶରେ ମୋଟ ୧୪ ଲକ୍ଷ ୫୧ ହଜାର କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୩୩ ହଜାର ରୋଗୀଙ୍କ ଜୀବନ ଯାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ କ୍ୟାନସର ଚିକିତ୍ସାକୁ ଅତ୍ୟାଧୁନିକ ତଥା ସୁଲଭ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଓଡିଶାରେ କଳାହାଣ୍ଡି, ସମ୍ବଲପୁର ଓ ବ୍ରହ୍ମପୁରରେ କ୍ୟାନସର କେୟାର ସେଂଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ କଟକରେ ମଧ୍ୟ ଏକ ଷ୍ଟେଟ୍ କ୍ୟାନସର୍ କେୟାର ସେଂଟର ନିର୍ମାଣ ପାଇଁ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।