ପାଟକୁରା ଆକାଶରେ ‘ବୟାନବାଜି’ ବିଜୁଳି: ଭୃଗୁ-କିଶୋରଙ୍କ ବିସ୍ଫୋରକ ବୟାନ ପରେ ଗୋଳିଆ ହେଲା ପାଟକୁରା ପାଣି…

336

କନକ ବ୍ୟୁରୋ: ‘ପାଟକୁରା’ ପରୀକ୍ଷା ପାଇଁ ଜୋରସୋରରେ ଚାଲିଛି ପାଠପଢା । ତାରିଖ ଯେତିକି ପାଖଉଛି ପ୍ରସ୍ତୁତି ସେତିକି ପ୍ରଖର ହେଉଛି । ଏଗାର ଦିନ ପରେ ଏକ୍ଜାମ ଥିବାରୁ ସମସ୍ତଙ୍କ ଆଖିରୁ ନିଦ ହଜି ଯାଇଛି । ଆଉ ଏତିକି ବେଳେ ପାଟକୁରା ପାଣିକୁ ଗୋଳିଆ କରିଛି ବଡ ବଡିଆଙ୍କ ବୟାନବାଜି । ଉଭୟ ବିଜେପି ଓ ବିଜେଡିର ହେଭିୱେଟ ନେତାଙ୍କ ବୟାନବାଜି ପରେ ସରଗରମ ହୋଇଛି ରାଜନୈତିକ ପାଣିପାଗ ।

ତେବେ ଗଡ଼ ରକ୍ଷା ପାଇଁ ବିଜେଡିର ମାଳମାଳ ନେତା, ମନ୍ତ୍ରୀ ପାଟକୁରାରେ ଡେରା ପକାଇଥିବା ବେଳେ ଏହାକୁ ନେଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । ସବୁଜ ଶିବିରକୁ ସିଧାସଳଖ ତୀର ମାରି ଭୃଗୁ ବିଜେଡିକୁ ଘାଇଲା କରିଛନ୍ତି । ବିଜେପିର ବିଜୟ ପାଇଁ ବିଜେଡି ପ୍ରଚାର କରୁଥିବା ସେ କହିଛନ୍ତି । ପାଟକୁରାରେ ବିଜେପି ଏବଂ ବିଜୟ ମହାପାତ୍ରଙ୍କୁ ଜିତେଇବା ପାଇଁ ବିଜେଡିର ନେତା ମନ୍ତ୍ରୀ ଏଠାରେ ପ୍ରଚାର କରୁଛନ୍ତି । ବିଜେଡିର ଯେଉଁ ମାଳମାଳ ନେତା ଏଠାକୁ ଆସୁଛନ୍ତି ସେମାନେ ସବୁ ଆମ ପାଇଁ କାମ କରୁଛନ୍ତି । ପାଟକୁରାର ସବୁ ଭୋଟରଙ୍କ ସହ ବିଜେଡି ବି ମନସ୍ଥ କରିସାରିଛନ୍ତି କି ଏଥର ବିଜୟଙ୍କୁ ହିଁ ବିଧାନସଭା ପଠାଇବେ ବୋଲି । ତେବେ ସେମାନେ ସେମାନଙ୍କ ବସଙ୍କୁ ଖୁସି କରାଇବାକୁ ଏଠାରେ ବୁଲୁଛନ୍ତି ବୋଲି ଭୃଗୁ ଭୀଷଣ କଟାକ୍ଷ କରିଛନ୍ତି ।

ତେବେ ଭୃଗୁଙ୍କ ଏହି ବୟାନକୁ ଖଣ୍ଡନ କରିଛି ବିଜେଡି । କେନ୍ଦ୍ରାପଡା ଜିଲ୍ଳା ସଭାପତି କିଶୋର ତରାଇଙ୍କ ସହ ଗରଦପୁର ବ୍ଲକର ୨ଟି ପଞ୍ଚାୟତ ଦାୟିତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ଭୃଗୁଙ୍କ ଏହି ବୟାନକୁ ଅବାନ୍ତର ବୋଲି କହିଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ବିଜେପି ସବୁବେଳେ ଏମିତି କହେ ମାତ୍ର ଆମେ ପାଟକୁରାରେ କେମିତି ଶଙ୍ଖ ଚିହ୍ନର ଜିତ୍ ହେବ ସେନେଇ ସମସ୍ତ କର୍ମୀ ସମର୍ପିତ ହୋଇ କାମ କରୁଛନ୍ତି ବୋଲି ସୁଶାନ୍ତ ସିଂ କହିଛନ୍ତି ।

ଅନ୍ୟପଟେ ଭୃଗୁଙ୍କୁ ଓଲଟା ଜବାବ ଦେଇଛନ୍ତି କିଶୋର ତରାଇ । ବିଜେଡି ନୁହେଁ ବରଂ ବିଜେପି ନେତା ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି । ଭୃଗୁଙ୍କ ଭଳି ଜଣେ ପରିପକ୍ୱ ନେତା ଏଭଳି ବାଚାଳାମୀ ବୟାନ ଦେବା ଉଚିତ ନୁହେଁ କହି ଭୃଗୁଙ୍କୁ ସମାଲୋଚନା କରିଛନ୍ତି କିଶୋର । ବିଜେଡି ୩୦ରୁ ୪୦ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି କିଶୋର କହିଛନ୍ତି । ତେବେ ଭୋଟ ପୂର୍ବରୁ ଉଭୟ ବିଜେପି- ବିଜେଡି ବୟାନ ଭୋଟରଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ବେଳେ ‘କିଏ କାହା ପାଇଁ କାମ କରୁଛି’ ? ଏହା ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ତେବେ ଭୋଟ ଗଣତି ପରେ ସବୁ ଫର୍ଚ୍ଚା ହୋଇଯିବ । ପାଣି ପାଣି, କ୍ଷୀର କ୍ଷୀର ହୋଇଯିବ ।