ଛୁଟିରେ ଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ଆଗରେ ହାଇଡ୍ରାମା! ୪ ଗୁଇନ୍ଦା ଅଧିକାରୀଙ୍କୁ କାବୁ କରି ପୋଲିସ ଜିମା ଦେଲେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ

34

କନକ ବ୍ୟୁରୋ : ଦିଲ୍ଲୀ ଜନପଥରେ ଚାଲିଲା ହାଇଡ୍ରାମା । ଆଜି ସକାଳୁ ସକାଳୁ ୪ ସନ୍ଦିଗ୍ଧଙ୍କ ଉପରେ ଆକ୍ରମଣ କରିଥିଲେ ଛୁଟିରେ ପଠାଇ ଦିଆଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସୁରକ୍ଷା ଅଧିକାରୀ । ଚର୍ଚା ହେଲା, ବର୍ମାଙ୍କ ଉପରେ ନଜର ରଖିବାକୁ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ସରକାର । ହେଲ ଆଇବି ସ୍ପଷ୍ଟ କରିଛି, ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ରୁଟିନ୍ ଡ୍ୟୁଟି କରୁଥିଲେ ଗୁଇନ୍ଦା ଅଫିସର । ହେଲେ ବିରୋଧୀଙ୍କ ଅଭିଯୋଗ, ସିବିଆଇ ପରେ ଦିଲ୍ଲୀ ପୋଲିସ ଓ ଆଇବିକୁ ନିଜ ସ୍ୱାର୍ଥରେ ବ୍ୟବହାର କରୁଛନ୍ତି ମୋଦି ସରକାର ।

ଦିଲ୍ଲୀର ଜନପଥ୍ । ସମୟ- ଗୁରୁବାର ସକାଳ । ଛୁଟିରେ ପଠାଇ ଦିଆଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀ ଜନପଥରେ ଥିବା ସରକାରୀ ବାସଭବନ ଆଗରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ବଡ ଧରଣର ଡ୍ରାମା । ଘର ପାଖରେ ବୁଲୁଥିବା କିଛି ସନ୍ଦିଗ୍ଧଙ୍କ ଉପରେ ଆଲୋକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ନଜର ପଡିଥିଲା । ଦୁଇଟି କାରରେ ୪ଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ଆଲୋକ ବର୍ମାଙ୍କ ଘର ଆଗରେ ବସିରହିବା ସହ ମଝିରେ ମଝିରେ ଟହଲ ମାରିବା ଦେଖିଥିଲେ ତାଙ୍କ ସୁରକ୍ଷା ଅଧିକାରୀ ।

ଆଲୋକ ବର୍ମାଙ୍କ ଉପରେ ଚୋରାରେ ନଜର ରଖୁଥିବା ସନ୍ଦେହ କରି ଏମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ ସେଠାରେ ମୁତୟନ ସୁରକ୍ଷା କର୍ମଚାରୀ । ଟଣା ଘୋଷଡା କରି ସିବିଆଇ ହାଉସ ନମ୍ବର-ଟୁ କୁ ନେଇଆସିଥିଲେ । ଖାନତଲାସୀ ପରେ ଏମାନଙ୍କଠାରୁ ଇଂଟେଲିଜେନ୍ସ ବ୍ୟୁରୋ ବା ଭାରତୀୟ ଗୁଇନ୍ଦା ସଂସ୍ଥାର ଆଇକାର୍ଡ ମିଳିବା ପରେ ଦିଲ୍ଲୀ ପୋଲିସ ଜିମା ଦିଆଯାଇଥିଲା । ଭ୍ରଷ୍ଟାଚାର ଅଭିଯୋଗରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦେଇ ତାଙ୍କ ଉପରେ ସରକାର ନଜର ରଖିଥିବା ଖବର ବ୍ୟାପିଗଲା । ଗୁଇନ୍ଦା ଅଧିକାରୀଙ୍କୁ ଲଗାଇ ଚୋରାରେ ଖବର ସଂଗ୍ରହ କରୁଥିବା ଚର୍ଚ୍ଚା ଆରମ୍ଭ ହେବା ପରେ ସଫେଇ ରଖିଛି ଇଂଟେଲିଜେନ୍ସ ବ୍ୟୁରୋ ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ ଆଲୋକ ବର୍ମାଙ୍କ ଘର ଆଗରୁ ଧରାହୋଇଥିବା ୪ ଜଣ ହେଉଛନ୍ତି – ଧିରଜ କୁମାର ସିଂହ, ଅଜୟ କୁମାର, ପ୍ରଶାନ୍ତ କୁମାର ଏବଂ ବିନିତ କୁମାର ଗୁପ୍ତା । ଏମାନେ ସମସ୍ତେ ଭାରତୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ବୋଲି ସ୍ପଷ୍ଟ କରିଛି ଆଇବି । ଏକ ବିବୃତି ଜାରି କରି କୁହାଯାଇଛି-
‘ଏହି ଅଫିସରମାନେ ନିତିଦିନିଆ ଡ୍ୟୁଟିରେ ଥିଲେ । ସେଥିପାଇଁ ଏମାନଙ୍କ ପାଖରେ ପରିଚୟପତ୍ର ରହିଥିଲା । ଜନପଥର ସେହି ଅଂଚଳ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ । ଗୁରୁବାର ସକାଳୁ ସେଠାରେ କିଛି ଲୋକ ଏକାଠି ହୋଇଥିବା ଖବର ରହିଥିବାରୁ ଏହି ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ ।’ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ଏ ବାବଦରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ କଥା ହୋଇଥିଲା । ଗୃହ ମନ୍ତ୍ରାଳୟ ମଧ୍ୟ ଏହି ଅଫିସରମାନେ ନିୟମିତ ପାଟ୍ରୋଲିଂରେ ଯାଇଥିଲେ ବୋଲି କହିଥିବା ରିପୋର୍ଟ କରିଛି ଟାଇମ୍ସ ନାଓ ।

ତେବେ ଗୁଇନ୍ଦା ବିଭାଗ ସହ ଆଲୋଚନା ପରେ ଏହି ୪ ଅଧିକାରୀଙ୍କୁ ଛାଡି ଦେଇଛି ଦିଲ୍ଲୀ ପୋଲିସ । ହେଲେ ଏହି ପୁରା ଘଟଣାକୁ ନେଇ ପୁଣି ସରଗରମ ହୋଇଛି ରାଜନୀତି । କଂଗ୍ରେସ ଅଭିଯୋଗ କରିଛି ଯେ, ସିବିଆଇରେ ଚାଲିଥିବା ଭ୍ରଷ୍ଟାଚାରର ହ୍ୱିସିଲ ବ୍ଲୋୟର ଆଲୋକ ବର୍ମାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇ ତାଙ୍କ ଉପରେ ଗୁଇନ୍ଦା ସଂସ୍ଥା ଜରିଆରେ ନଜର ରଖୁଛନ୍ତି ମୋଦି ସରକାର । ତେଣୁ ପୁରା ମାମଲାରେ ଏକ ବଡ ଷଡଯନ୍ତ୍ର ରହିଥିବା ସନ୍ଦେହ କରୁଛି କଂଗ୍ରେସ । ରାଜନୈତିକ ସ୍ୱାର୍ଥ ପାଇଁ ସିବିଆଇକୁ ବ୍ୟବହାର କରୁଥିବା ମୋଦି ସରକାର ଏବଂ ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ବିଭାଗକୁ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ କରିଛି ଦଳ । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଦେବା ପ୍ରସଙ୍ଗରେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମୋଦିଙ୍କୁ ଟାର୍ଗେଟ କରିଥିଲେ । ରାଫେଲ ଡିଲର ଛାନଭିନ କରୁଥିବାରୁ ବର୍ମାଙ୍କୁ ସରକାର ପଦରୁ ହଟାଇ ଦେଇଥିବା ଅଭିଯୋଗ କରିଥିଲେ ରାହୁଲ ।