କନକ ବ୍ୟୁରୋ: ଆଜି ବିଜେପୁରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ବିଜେପୁର ଯାଇ ଦୁଇଦିନ ଧରି ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ । ସେହିଭଳି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ବିଜେପୁରରେ ବିଜେପିର ପ୍ରଚାର ପାଇଁ ଆଜି ଦିଲ୍ଲୀରୁ ଆସୁଛନ୍ତି । ବିଜେପୁରରେ ଆୟୋଜିତ ବିଭିନ୍ନ ନିର୍ବାଚନ ରାଲିକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମ୍ବୋଧିତ କରିବେ । ଆଜିର ହାଇଭୋଲଟେଜ ପ୍ରଚାରକୁ ଆଖିରେ ରଖି ବିଜେପୁରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମାଳ ମାଳ ନେତା ଓ ଅଭିନେତାଙ୍କ ପ୍ରଚାର ଭିତରେ ଆଜି ବିଜେପୁରରେ ଗଡିବ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଗାଡ଼ି । ଦୀର୍ଘ ୪ ମାସ ଧରି ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ କରିଥିବା କ୍ଷେତ୍ରରେ ଚୁଡ଼ାନ୍ତ ସ୍ପର୍ଶ ଦେବା ସହ ୬ କିଲୋମିଟର ଧରି ରୋଡ୍ ସୋ କରିବେ ନବୀନ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ସୋ’କୁ ଟକ୍କର ଦେବା ପାଇଁ ଦିଲ୍ଲୀରୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଯିଏ ବରପାଲିରେ ଏକ ଜନସଭା ଜରିଆରେ ବଖାଣିବେ ମୋଦିଙ୍କ ମନ୍ତ୍ର । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଯିଏ ୧୭ ବର୍ଷ ଧରି ଓଡ଼ିଶାର ଶାସନ ଗାଦିରେ ଅଛନ୍ତି । ଆଉ ଜଣେ ଛୋଟ ପରଦାର ଅଭିନେତ୍ରୀରୁ ମୋଦି କ୍ୟାବିନେଟର ଜଣେ ଦକ୍ଷ ମନ୍ତ୍ରୀ । ସାଧାରଣତଃ ଯାହା ଦେଖିବାକୁ ମିଳେନି, ତାହା ଦେଖିବାକୁ ଯାଉଛି ବିଜେପୁରରେ । ଉପ-ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ରେ ରାତ୍ରୀ ଯାପନ କରିବେ । ଆଉ ଆସନ୍ତାକାଲି ବିଜେପୁର ଏବଂ ବରପାଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ପୂର୍ବରୁ ନିର୍ବାଚନ କମିଶନ ପାଖରେ ଫେରାଦ୍ ହୋଇଛି ଭାରତୀୟ ଜନତା ପାର୍ଟି । ବିଜେପି ଆଶଙ୍କା କରୁଛି- ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଆଚରଣବିଧି ଉଲଂଘନ ହୋଇପାରେ । ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ଅଭିଯୋଗ କରିଛି । ବିଜେଡି- ବିଜେପିର ଏହି ଛକାପଂଝା ଭିତରେ ଉପ-ନିର୍ବାଚନ ଜିତିବା ପାଇଁ ବିଜେପୁରରେ ଦେଖିବାକୁ ମିଳୁଛି ଏକ ବଡ ରାଜନୈତିକ ପ୍ରତିନ୍ଦ୍ୱନ୍ଦିତା । ଆଉ ଆସନ୍ତା ୨୮ ତାରିଖରେ ହିଁ ଜଣାପଡ଼ିବ ଏହି ପ୍ରତିଦ୍ୱନ୍ଦିତାର ଫଳ କ’ଣ ହେବାକୁ ଯାଉଛି ।