ବିଜେପୁର ପ୍ରଚାର ଲଢେଇରେ ସେନାପତି ସାଜିଛନ୍ତି ଅଭିନେତା! ଗୋଟିଏ ମୈଦାନରେ ଅନୁଭବ, ଆକାଶ ଓ ପିଙ୍କି, କଂଗ୍ରେସ କଲା ନିଆରା ଶୋଭାଯାତ୍ରା

82

କନକ ବ୍ୟୁରୋ : ପାଖେଇ ଆସୁଛି ବିଜେପୁର ଭୋଟ, ଜୋର ଧରୁଛି ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତ ପୂର୍ବରୁ ମାହୋଲ ବନାଉଛନ୍ତି ବିଜେଡି ନେତା । ଅଭିନେତାରୁ ନେତା ବନିଥିବା ଅନୁଭବ ଓ ଆକାଶ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗୁଛନ୍ତି । ସେପଟେ ବିଜେପି ଷ୍ଟାର ପ୍ରଚାରର ମଙ୍ଗ ଧରିଛନ୍ତି ଅଭିନେତ୍ରୀରୁ ନେତ୍ରୀ ବନିଥିବା ପିଙ୍କି ପ୍ରଧାନ । ଆଉ ଆଜି ନିଆରା ଢଙ୍ଗରେ ବାହାରିଛି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ରାଲି । ତେଲଦର ବୃଦ୍ଧି ପ୍ରତିବାଦରେ ଶଗଡ ଶୋଭାଯାତ୍ରା କରିଛନ୍ତି ପ୍ରଣୟ ସାହୁ ।

bijepurବିଜେପୁରରେ ଗଡୁଛି ଅଭିନେତାରୁ ନେତା ବନିଥିବା ଅନୁଭବଙ୍କ ପ୍ରଚାର ଗାଡି । ବିଜେଡି ପାର୍ଥୀ ରୀତା ସାହୁଙ୍କୁ ଜିତାଇବା ପାଇଁ ପୁରା ଦମ ଲଗାଇଦେଇଛନ୍ତି ରାଜ୍ୟସଭା ସାଂସଦ । ଡେରା ପକାଇଛନ୍ତି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଏହି ନିର୍ବାଚନୀ କ୍ଷେତ୍ରରେ । ଟିଭି ପରଦାର ହିରୋଙ୍କୁ ଦେଖିବା ପାଇଁ ଗାଁ ଦାଣ୍ଡରେ ଲାଗୁଛି ଗହଳି । ହେଲେ ଅନୁଭବ କହୁଛନ୍ତି ବିଜେଡିକୁ ବାଦଦେଇ ତାଙ୍କ ଅସ୍ତିତ୍ୱ ନାହିଁ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ ହିରୋ । ତାଙ୍କରି ନାଁରେ ଭୋଟ ମାଗୁଛନ୍ତି, ତାଙ୍କରି ଲୋକାଭିମୁଖୀ କାମକୁ ଦେଖି ଲୋକେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଜିତାଇବେ ।

ବିଜେପୁର ବାଜି ଜିତିବାକୁ ପୁରା କଳ କୌଶଳ ଲଗାଇ ଦେଇଛି ବିଜୁ ଜନତା ଦଳ । ପୂର୍ବରୁ କୌଣସି ଉପନିର୍ବାଚନରେ ଏମିତି ମାରାଥନ ପ୍ରଚାର ଦେଖିବାକୁ ମିଳିନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତ ପୂର୍ବରୁ ମାହୋଲ ଜମାଉଛନ୍ତି ଅଭିନେତାରୁ ନେତା ବନିଥିବା ଆକାଶ ଦାସ ନାୟକ । ନିଜ ନିର୍ବାଚନ କ୍ଷେତ୍ରରୁ ବାହାରି ପହଂଚିଛନ୍ତି ବିଜେପୁରରେ ବିଜେଡି ପାଇଁ ସମ୍ମାନର ଲଢେଇ ଲଢିବାକୁ ।

bijepurଅନ୍ୟପଟେ ବିଜେପି ତାରକା ପ୍ରଚାରର ବିଜେପୁରରେ ଏକ ପ୍ରକାର ମଙ୍ଗ ଧରିଛନ୍ତି ଅଭିନେତ୍ରୀରୁ ନେତ୍ରୀ ବନିଥିବା ପିଙ୍କି ପ୍ରଧାନ । ବିଜେଡି ଯେଉଁଠି ନବୀନ ପଟ୍ଟନାୟକଙ୍କୁ ହିରୋ ସଜାଇଛି ସେଠି ପଦ୍ମଫୁଲିଆ ନେତାଙ୍କ ଗୋଟିଏ କଥା ଦେଶର ଜଣେମାତ୍ର ହିରୋ ପ୍ରଧାନମନ୍ତ୍ରୀ ମୋଦି । ଆଉ ସେହି ଆଧାରରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତାକୁ ପାଥେୟ କରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଘରଘର ବୁଲି ଭୋଟ ମାଗୁଛନ୍ତି ।

କିନ୍ତୁ ତାରକା ପ୍ରଚାରରୁ ଦୂରେଇ ରହିଥିବା କଂଗ୍ରେସ ଆଜି ଭିନ୍ନ ଢଙ୍ଗରେ ବାହାର କରିଛି ପ୍ରଚାର ରାଲି । ତେଲଦର ବୃଦ୍ଧିର ପ୍ରତିକାତ୍ମକ ପ୍ରତିବାଦ କରି ଶଗଡ ଗାଡିରେ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ସାଙ୍ଗରେ ବି ଅଛନ୍ତି କଂଗ୍ରେସ ପ୍ରଭାରୀ ଶୁଭଙ୍କର ସରକାର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।ଆଗାମୀ ୨୪ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ପଡିବ ଭୋଟ । ହାତରେ ଆଉ ଦିନ କେଇଟା ଥିବାରୁ ଭୋଟରଙ୍କୁ ନିଜ ଆଡକୁ ପ୍ରଭାବିତ କରିବା ପାଇଁ ପୁରା ଜୋର ଲଗାଇଦେଇଛନ୍ତି ତିନି ପ୍ରମୁଖସ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଓ ବିଜେପି ।