ବାତ୍ୟା ‘ବାୟୁ’ : ସୋମନାଥ ମନ୍ଦିରର ୧୫୫ ଫୁଟ୍ ଉଚ୍ଚ ପର୍ଯ୍ୟନ୍ତ ଉଠୁଛି ସାମୁଦ୍ରିକ ଜୁଆର, ମନ୍ଦିରର ପ୍ରବେଶ ଦ୍ୱାର ଧ୍ୱଂସ

984

କନକ ବ୍ୟୁରୋ : ଦେଶରେ ଆତଙ୍କ ଖେଳାଇଥିବା ବାତ୍ୟା ‘ବାୟୁ’ ଗଜରାଟକୁ ବହୁତ କ୍ଷତି ପହଂଚାଇପାରେ । କିନ୍ତୁ ଗତିପଥ ବଦଳାଇବା କାରଣରୁ ଏବେ ତାହା ସୌରାଷ୍ଟ୍ରର ଉପକୂଳ ଅଂଚଳରେ ହିଁ ପ୍ରଭାବ ପକାଇବ । ବାତ୍ୟାର ଏହି ପ୍ରଭାବ ମଧ୍ୟ ବିପଦଜନକ । ସାରା ଦୁନିଆର ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ସୋମନାଥ ମନ୍ଦିର ଏହି ବାତ୍ୟା କବଳରେ ଅଛି । ବାତ୍ୟା କାରଣରୁ ୧୫୫ ଫୁଟ୍ ଉଚ୍ଚ ମନ୍ଦିରର ଶିଖର ପର୍ଯ୍ୟନ୍ତ ସମୁଦ୍ର ଜୁଆର ଉଠୁଛି । ଏହି କାରଣରୁ ମନ୍ଦିରର ପ୍ରବେଶ ଦ୍ୱାର ମଧ୍ୟ ଧ୍ୱଂସ ହୋଇଗଲାଣି ।

ଗୁଜରାଟର ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଚୂଡାସମା କହିଛନ୍ତି କି, “ବାତ୍ୟାର ଭୟାବହତାକୁ ଦେଖି ଏଠି ମଧ୍ୟ ଆଲର୍ଟ ଜାରି କରାଯାଇଥିଲା । ତଥାପି ବି ଏହି ମନ୍ଦିର ଖୋଲା ଅଛି । ଏଠି ପର୍ଯ୍ୟଟକଙ୍କୁ ଆସିବାକୁ ମନା କରାଯାଇଛି । କିନ୍ତୁ ମନ୍ଦିର ବନ୍ଦ କରାଯାଇନି । ଏହାର କାରଣ ହେଉଛି, ଅନେକ ବର୍ଷ ଧରି ଏଠି ଲଗାତାର ଆଳତୀ ହେଉଛି । ଏହି ନିୟମକୁ ମନ୍ଦିର ପ୍ରଶାସନ ଭଙ୍ଗ କରିବାକୁ ଚାହେଁନି ।”

ମନ୍ଦିରରେ ଏବେ ବି ସ୍ଥିତି ନିୟନ୍ତ୍ରଣରେ ଅଛି । ଏହାର ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରୁ ନଜର ରଖିଛନ୍ତି । ସୂଚନାଯୋଗ୍ୟ, ଅମିତ ଶାହ ସୋମନାଥ ମନ୍ଦିର ପ୍ରବନ୍ଧକ ସମିତିର ଅଧ୍ୟକ୍ଷ ।