ସମୁଦ୍ର ମାଡୁଛି, ସଂକଟ ବଢୁଛି ! ଜୁଆର ମାଡ଼ରେ ସ୍ୱର୍ଗଦ୍ୱାର ସମ୍ମୁଖରେ ଖସିଲା ୧୦ ଫୁଟର ବାଲି ଅତଡ଼ା, ଭାସିଗଲା ଦୋକାନ ବଜାର ।

27

କନକ ବ୍ୟୁରୋ : ପୁଣି କୂଳ ଖାଇଲା ସମୁଦ୍ର । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଆଜି ପୁଣି ୧୦ ଫୁଟରୁ ଅଧିକ ବାଲି ଅତଡ଼ା ଖସିଛି । ଫଳରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପ୍ରତି ବିପଦ ସୃଷ୍ଟି ହୋଇଛି । ଉଠାଦୋକାନୀଙ୍କ ବ୍ୟବସାୟ ସାମଗ୍ରୀ ଧୋଇ ହୋଇଯାଇଛି । ଏହାକୁ ନେଇ ସ୍ଥାନିୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପୁରୀ ବେଳାଭୂମିରେ ବଡ ବଡ ଲହଡି ଆସି କୂଳରେ ମାଡ ହେଉଛି । ଗତକାଲି ପରି ସମାନ ଦୃଶ୍ୟ ଆଜି ମଧ୍ୟ ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାର ସମ୍ମୁଖରେ ବଡ ବଡ ଲହଡି ଆସୁଥିବାରୁ ବେଳାଭୂମିରେ ପସରା ମେଲିଥିବା ବହୁ ଉଠା ଦୋକାନୀଙ୍କ ବ୍ୟବସାୟ ସାମଗ୍ରୀ ଧୋଇ ଯାଇଛି । ଏପରିକି ବେଳାଭୂମି ରାସ୍ତାକୁ ଛୁଇଁଛି ସମୁଦ୍ର ଲହଡି । ଏହା ସମୁଦ୍ର କୂଳରେ ବ୍ୟବସାୟ କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପ୍ରତି ବିପଦ ସୃ୍ଷ୍ଟି କରିଛି । ଭୟରେ ଅଛନ୍ତି ବ୍ୟବସାୟୀ ତଥା ସ୍ଥାନିୟ ବାସିନ୍ଦା ।

ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରର ଏହି ପ୍ରକୋପ ଲାଗି ରହିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଇରିଗେସନ ବିଭାଗର ଏକଜିକ୍ୟୁଟିଭ ଇଂଞ୍ଜିନିୟର କହିଛନ୍ତି ୨୦୦୬ ଏବଂ ୨୦୧୬ ମସିହାରେ ଏପରି ଲହଡି ମାଡ ହୋଇଥିଲା ଏବଂ କୂଳ ଖାଇଥିଲା ସମୁଦ୍ର । ତେବେ ଏହାକୁ ରୋକିବା ପାଇଁ ସି ୱାଲ କିମ୍ବା ବାଲିଭର୍ତି ଜିଓ ସିନ୍ଥେଟିକ୍ ବ୍ୟାଗର ବ୍ୟବହାର ହୋଇପାରିବ ନାହିଁ । କୂଳ ଖାଉଥିବା ସ୍ଥାନରେ ଆପେ ଆପେ ବାଲି ଭର୍ତି ହେବ ବୋଲି ସେ କହିଛନ୍ତି । ସେପଟେ ଇରିଗେସନ ବିଭାଗର ଆଡଭାଇଜର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମୁଦ୍ରର ଅଶାନ୍ତ ରୂପ ସ୍ଥାନୀୟ ଅଂଚଳରେ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି ।