ସମୁଦ୍ର ଆଁରେ ଗଞ୍ଜାମର ‘ରମେୟାପାଟଣା’: ବାହୁଦା ନଦୀ ମୁହାଁଣ ବାରମ୍ବାର ଗତିପଥ ବଦଳାଇବା ଫଳରେ ଗାଁ ଆଡକୁ ମାଡି ଆସୁଛି ସମୁଦ୍ର

୨୨ ଶୁଖୁଆ ଖଳା, ମତ୍ସଜୀବୀ ଆଶ୍ରୟ ସ୍ଥଳ ଭସାଇ ନେଲା

298

କନକ ବ୍ୟୁରୋ: ସମୁଦ୍ର ଆଁରେ ଗଞ୍ଜାମର ରମେୟାପାଟଣା । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ରାମୟାପାଟଣା ନିକଟତମ ସମୁଦ୍ର ଉଗ୍ରରୂପ ଧାରଣ କରିଛି । ଏହାଫଳରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ବାହୁଦା ନଦୀ ମୁହାଁଣ ବାରମ୍ବାର ଗତିପଥ ବଦଳାଇବା ଫଳରେ ଗାଁ ଆଡକୁ ସମୁଦ୍ର ମାଡି ଆସି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ୨ଦିନ ତଳେ ଉଚ୍ଚ ଜୁଆର ଆସି ସମୁଦ୍ର କୂଳରେ ଗତ ୯ମାସ ତଳେ ନିର୍ମାଣ ହୋଇଥିବା ମତ୍ସଜୀବୀ ଆଶ୍ରୟ ସ୍ଥଳକୁ ଭସାଇ ନେଇଛି। ମତ୍ସଜୀବୀ ଶୁଖୁଆ ଶୁଖାଇବା ଲାଗି ଗତ ବର୍ଷ କତୁରୁ ପଞ୍ଚାୟତ ପକ୍ଷରୁ ସମୁଦ୍ର କୂଳରେ ୨୨ଟି ଶୁଖୁଆ ଖଳା ନିର୍ମାଣ କରା ଯାଇଥିଲା। ଶୁଖୁଆ ଖଳା ଗୁଡିକ ସମୁଦ୍ରର ଆଁରେ ପଶି ଯାଇଛି। ରବିବାର ବିଳମ୍ବିତ ରାତିରେ ଜୁଆର ୮ଜଣଙ୍କ ଘର ଭସାଇ ନେଇଛି।ଗଞ୍ଜାମ ଜିଲ୍ଲାର ରମେୟାପାଟଣା କେବଳ ନୁହଁ ପୋଡମପେଟା, ଗୋଖରକୁଦା, ଆର‌୍ୟ୍ୟପଲ୍ଲୀ, ପୁରୁଣାବନ୍ଧ ଇଲକାରେ ମଧ୍ୟ ସମୁଦ୍ର କୂଳ ଖାଉଛି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପ୍ରଫେସର ପ୍ରତାପ ମହାନ୍ତି କହିଛନ୍ତି, ଏ ସମୟରେ ସାଧରଣତଃ ବେଳାଭୂମି ଅବକ୍ଷୟ ଘଟିଥାଏ। ବାହୁଦା ମୁହାଣ ଗତିପଥ ଉତ୍ତର ଦିଗକୁ ମୁହାଁଇବା ପରେ ସମୁଦ୍ର କୂଳ ଖାଉଛି। ନଦୀରୁ ଆସୁଥିବା ବାଲି, ଗୋଡ଼ି ଆଦି ସମୁଦ୍ରର ଦକ୍ଷିଣରୁ ଉତ୍ତରକୁ ଯାଇ ଜମା ହୋଇଥାଏ। ଏହାକୁ ଲଙ୍ଗ୍ ସୋର ‘ଟ୍ରାନ୍ସପୋର୍ଟସେନ’ କୁହାଯାଏ। ଏଥିର ପ୍ରତିବନ୍ଧକ ସୃଷ୍ଟି ହେଲେ ଉତ୍ତର ଦିଗରେ କୂଳ ଖାଇଥାଏ।