କାରକୁ ଗରମରୁ ରକ୍ଷା କରିବ ହାଇଟେକ ଟେଣ୍ଟ ! ଗୋଟିଏ ବଟନ କ୍ଲିକ୍ କରିବା କ୍ଷଣି ପୂରା କାର ହୋଇଯିବ କଭର

34

ଦିନକୁ ଦିନ ଏବେ ତାତି ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଲୋକ ଏବେ ଦୁଇ ଚକିଆ ବଦଳରେ କାରରେ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି । ତେବେ ବାହାରେ ଖରାରେ କାର ଗୁଡ଼ିକ ପାର୍କିଂ ହେଉଥିବା ହେତୁ କାର ଭିତରେ ପ୍ରବଳ ଗରମ ହୋଇଥାଏ । ଏଥିପାଇଁ ଗାଡ଼ି ଗୁଡ଼ିକ ପାର୍କିଂ କରିବାକୁ ଛାଇ ସ୍ଥାନ ଖୋଜିବାକୁ ପଡ଼ିଥାଏ । କିନ୍ତୁ ଏହି ସମସ୍ୟାର ସମାଧାନ ବାହାର କରିଛି ଲାନମୋଡ଼ୋ କମ୍ପାନି । ଏହି କମ୍ପାନି ଏଭଳି ଏକ ଟେଣ୍ଟ ପ୍ରସ୍ତୁତ କରିଛି ଯାହା କାରକୁ ସମ୍ପୂର୍ଣ୍ଣ ଭାବେ କଭର କରିଥାଏ । ଏହାକୁ କାରର ଛତା ମଧ୍ୟ କୁହାଯାଉଛି । ଏହା ଦୁନିଆର ପ୍ରଥମ ଏଭଳି ଏକ ଅଟୋମେଟିକ ଟେଣ୍ଟ ଯାହାର ଗୋଟିଏ ବଟମକୁ ଛୁଇଁବା କ୍ଷଣି ଏହା କାରକୁ ସମ୍ପୂର୍ଣ୍ଣ ଭାବେ କଭର କରିଥାଏ ।

ଅଟୋମେଟିକ କାର ଟେଣ୍ଟ : ଏହି ଅଟୋମେଟିକ ଟେଣ୍ଟ ବା କାରର ଛତା ୱାୟରଲେସ କନେକ୍ଟିଭିଟି ଦ୍ୱାରା କାର୍ଯ୍ୟ କରିଥାଏ । ଅଥାର୍ତ ଗୋଟିଏ ବଟମ କ୍ଲିକ୍ କରିବା କ୍ଷଣି ପୂରା କାରକୁ ଛତା ଭଳି ଏହା କଭର କରିଥାଏ । ଦୁଇ ଅଲଗା ଅଲଗା ସାଇଜର ଟେଣ୍ଟ କମ୍ପାନି ପ୍ରସ୍ତୁତ କରିଛି । କାରର ସାଇଜ ହିସାବରେ ଆପଣ କୌଣସି ଟେଣ୍ଟକୁ ଚୟନ କରିପାରିବେ । କମ୍ପାନି ୩ଟି (କଳା, ନୀଳ ଓ ସିଲଭର) ରଙ୍ଗର ଟେଣ୍ଟ ବଜାରକୁ ଛାଡ଼ିଛି ।

କମ୍ପାନି ପ୍ରସ୍ତୁତ କରିଥିବା ଛୋଟ ଆକାରର ଟେଣ୍ଟର ମୂଲ୍ୟ ୧୬ ହଜାର ଟଙ୍କା ରଖାଯାଇଛି । କମ୍ପାନି ପକ୍ଷରୁ କୁହାଯାଇଛି ଗ୍ରାହକ ବିଶ୍ୱର ଯେକୌଣସି ସ୍ଥାନରୁ ଅର୍ଡ଼ର କଲେ ବି କମ୍ପାନି ପକ୍ଷରୁ ଫ୍ରି ଡ଼େଲିଭରି ଦିଆଯିବ । ଏହି ଛତା ବା ଟେଣ୍ଟ ମଧ୍ୟରେ ଏକ ଚାର୍ଜିଂ ବ୍ୟାଟେରି ରହିଛି । ଯାହାକୁ ଥରେ ମାତ୍ର ଚାର୍ଜ କରିବା ସହ ୪୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଖାସକଥା ହେଲା ଏହାକୁ ସମ୍ପୂର୍ଣ୍ଣ ଖୋଲିବାକୁ ମାତ୍ର ୩୦ ସେକେଣ୍ଡ ସମୟ ଲାଗିବ । କମ୍ପାନିର କହିବା ଅନୁଯାୟୀ, ଏହି ଛତା ବ୍ୟବହାର କରିବା ଦ୍ୱାରା ଗାଡ଼ି ଭିତରର ତାପମାତ୍ରା ଅଧା ହୋଇ ଯାଇଥାଏ ।

ଏହି ଟେଣ୍ଟର ଅନ୍ୟ ଏକ ଖାସିୟତ ହେଉଛି ଏହା କେବଳ କାରର ବ୍ୟବହାର ପାଇଁ ନୁହେଁ ବରଂ ଗାଡ଼ି ଚାଳକ ମଧ୍ୟ ଏହାକୁ ଟେଣ୍ଟ ଭଳି ବ୍ୟବହାର କରି ବିଶ୍ରାମ ନେଇ ପାରିବେ । ଯଦି ଆପଣ କୌଣସି ପିକନିକ ସ୍ପଟ ଯାଉଛନ୍ତି ତେବେ ଏହି ଟେଣ୍ଟକୁ କ୍ୟାମ୍ପର ଆକାର ଦେଇ ୭ ଜଣ ବେଶ ଆରାମରେ ରହିପାରିବେ । ଏଥିପାଇଁ କମ୍ପାନୀ ନିକଟରୁ ସମସ୍ତ ପ୍ରକାର ଉପକରଣ କିଣିବାକୁ ପଡ଼ିବ । ଏହାସହ ଏଥିରେ ଲାଗିଥିବା ବ୍ୟାଟେରୀ ସାହାର୍ଯ୍ୟରେ ଏଲଇଡ଼ି ବଲ ମଧ୍ୟ ଜାଳିପାରିବେ ।