ASO ପରୀକ୍ଷାରେ ମୁନ୍ନାଭାଈ ଷ୍ଟାଇଲରେ କପି! ସ୍ମାର୍ଟୱାଚ ଜରିଆରେ କପି କରୁଥିଲେ ପରୀକ୍ଷାର୍ଥୀ, ବାହାରକୁ ପ୍ରଶ୍ନ ପଠାଉଥିବା ବେଳେ ଧରାପଡିଗଲେ 

3,423

ଫିଲ୍ମ ଷ୍ଟାଇଲରେ ASO ପରୀକ୍ଷାରେ କପି । ପୂର୍ବରୁ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ପ୍ରଘଟ, ଖାତା ଜାଲିଆତି ଆଦି ବିଭିନ୍ନ ଜରିଆରେ ଠକାମି କରି ପରୀକ୍ଷା ଦେଇ ଆସୁଥିବା ବେଳେ ଏବେ ପରୀକ୍ଷାର୍ଥୀ ମାନେ ଏକଦମ ନିଆରା ଢଙ୍ଗରେ ଉନ୍ନତ କୌଶଳ ଜରିଆରେ କପି କରୁଥିବାର ଦୃଶ୍ୟ ଆଜି ସାମ୍ନାକୁ ଆସିଛି ।

ଆଜି ପୂରା ରାଜ୍ୟରେ ଏଏସଓ ପରୀକ୍ଷା ଅନୁଷ୍ଠିତ ହେଉଛି । ସଚିବାଳୟର ୫୦୦ଟି ପଦବୀରେ ନିଯୁକ୍ତି ପାଇଁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ର ଲିଖିତ ପରୀକ୍ଷା ଆଜି ପୂରା ରାଜ୍ୟର ବିଭିନ୍ନ ସେଣ୍ଟରରେ ହେଉଛି । ତେବେ ଏହି ପଦବୀରେ ଚାକିରି କରିବା ପାଇଁ ଅସାଧୁ ଉପାୟ ଆପଣାଇବାକୁ ମଧ୍ୟ ପଛାଇ ନାହାନ୍ତି ପରୀକ୍ଷାର୍ଥୀ । ଏଏସଓର ଲିଖିତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ସ୍ମାର୍ଟୱାଚ ଜରିଆରେ କପି କରି ଧରାପଡିଛନ୍ତି । ପରୀକ୍ଷାର୍ଥୀ ଜଣକ ନୟାଗଡ ଜିଲ୍ଲାର ବୋଲି ଜଣାପଡିଛି ।

ପୋଲିସ ସୂଚନା ମୁତାବକ, ବୌଦ୍ଧ ପଞ୍ଚାୟତ କଲେଜରେ ଆଜି ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀ ଜଣକ ନିଜ ହାତରେ ପିନ୍ଧିଥିବା ସ୍ମାର୍ଟୱାଚ୍ ମାଧ୍ୟମରେ ବାହାରକୁ ପ୍ରଶ୍ନ ପତ୍ର ପଠାଉଥିଲେ । ବାହାରୁ ମଧ୍ୟ ଉକ୍ତ ପ୍ରଶ୍ନର ଉତ୍ତର ସ୍ମାର୍ଟୱାଚକୁ ଆସୁଥିଲା । ତେବେ ପରୀକ୍ଷାର୍ଥୀଙ୍କର ଏଭଳି ଚାଲାକି ବେଶି ସମୟ ଲୁଚି ରହିନଥିଲା । ପରୀକ୍ଷା ଅଧାରୁ ପରୀକ୍ଷାର୍ଥୀଙ୍କର ଏହି ଚାଲାକି ଧରା ପଡିଯାଇଥିଲା । ଘଟଣାସ୍ଥଳରେ ଥିବା ପୋଲିସ ଉକ୍ତ ସ୍ମାର୍ଟୱାଚକୁ ଜବତ କରିବା ସହ ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ପୂର୍ବରୁ ଏଏସଓ ପରୀକ୍ଷାର ସମୟସୀମାକୁ ନେଇ ବିବାଦ ଦେଖିବାକୁ ମିଳିଥିବା ବେଳେ ଆଜି ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।