ରଥଯାତ୍ରାକୁ ଆସି ପାରନ୍ତି ଏନଏସଜି କମାଣ୍ଡୋ ! ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

49

କନକ ବ୍ୟୁରୋ : ରଥଯାତ୍ରା ପାଇଁ ସଜେଇ ହେଉଛି ପୁରୀ । ଚଳଚଞ୍ଚଳ ବଡ଼ଦାଣ୍ଟ । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି । ଆସନ୍ତା ୧୪ ତାରିଖରେ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ ଶ୍ରୀଜିଉ । ଭକ୍ତ ମାନେ ଅତି ପାଖରୁ ଦେଖି ପାରିବେ କାଳିଆ ଠାକୁରଙ୍କୁ । ଆଉ କାଳିଆର ଟିକିଏ ଝଲକ ପାଇବା ପାଇଁ ବଡ ଦାଣ୍ଡରେ ଲାଗିବ ଭକ୍ତଙ୍କ ଗହଳି । ଏକାଠି ହେବେ ଲକ୍ଷ ଲକ୍ଷ ଭକ୍ତ । ତେବେ ଏତେ ସଂଖ୍ୟକ ଭକ୍ତଙ୍କ ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡିଛି ପୋଲିସ । ରଥଯାତ୍ରାରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ପୂରା ପ୍ରସ୍ତୁତ ହୋଇସାରିଛି ରାଜ୍ୟ ପୋଲିସ । ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ଦୂର କରିବା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଘନ ଘନ ବୈଠକ ବସୁଛି । ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ଏନେଇ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରଥଯାତ୍ରା କିପରି ସୂଚାରୁରୂପେ ଶେଷ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

rathajatraରଥଯାତ୍ରା ପାଇଁ ଜଳ, ସ୍ଥଳ ଓ ଆକାଶପଥରୁ ପୁରୀ ଉପରେ ନଜର ରଖାଯିବ । ପୋଲିସ ଛାଉଣୀରେ ପରିଣତ ହେବ ପୁରୀ ବଡଦାଣ୍ଡ । କାରଣ ପୂର୍ବରୁ ଅନେକ ଥର ରଥଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣର ଧମକ ମିଳିଛି । ତେଣୁ ରାଜ୍ୟ ପୋଲିସ ପାଇଁ ଏବେ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଆଉ ଖାସ ଏଥିପାଇଁ ସୁରକ୍ଷା ବଳୟ ମଧ୍ୟରେ ପୂରା ପୁରୀ ସହରକୁ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ପୋଲିସ । ଆଉ ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ରଥଯାତ୍ରା ସମୟରେ ସୁରକ୍ଷା ପାଇଁ ମୋଟ ୧୪୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ । ଏହାଛଡ଼ା ୧୦୦୦ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସୁରକ୍ଷାର ତଦାରଖ କରିବେ । ଏମାନଙ୍କ ବ୍ୟତୀତ ୨ ହଜାର ହୋମଗାର୍ଡ, ରାପିଡ଼ ଆକ୍ସନ ଫୋର୍ସ ୨ ୟୁନିଟ, ଏସଟିଏଫ ୨ ୟୁନିଟ, ଏନଏସଡିର ୨ ୟୁନିଟ, ଏନଡିଆରଏଫ ଓ ଓଡ୍ରାଫର ୧ ପ୍ଲାଟୁନ ଟିମ ରଥଯାତ୍ରା ସମୟରେ ପୁରୀରେ ମୁତୟନ ରହିବେ ।

ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୨ ୟୁନିଟ୍ ଏନଏସଜି କମାଣ୍ଡୋଙ୍କୁ ମୁତୟନ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ରାଜ୍ୟ ପୋଲିସ । ଏନଏସଜି କମାଣ୍ଡୋଙ୍କୁ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଜରୁରୀ କାଳୀନ ପରିସ୍ଥିତିରେ ସଙ୍ଗେ ସଙ୍ଗେ ଏମାନଙ୍କ ସାହାଯ୍ୟ ନିଆଯାଇପାରିବ । ଯାହାଦ୍ୱାରା ବଡ ଧରଣର ଆକ୍ରମଣକୁ ମଧ୍ୟ ଏଡାଇ ଦିଆଯାଇପାରିବ । ଏସବୁ ବ୍ୟତୀତ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ରଥଯାତ୍ରା ସମୟରେ ଟ୍ରାଫିକ ସମସ୍ୟାର ତଦାରଖ କରିବେ । ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ପିପିଲି ଠାରୁ ପୁରୀ ପର୍ଯ୍ୟନ୍ତ ରାସ୍ତାକୁ ୱାନ ୱେ କରାଯିବ । ଆଉ ସବୁଠୁ ବଡ କଥା ହେଲା, ସୁରକ୍ଷା ଦୃଷ୍ଟିରୁ ରାସ୍ତାର ପ୍ରତ୍ୟେକ ସ୍ଥାନରେ ସିସିଟିଭି ଲଗାଯିବ ବୋଲି କହିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ।