ଆମେରିକାର ଫ୍ଲୋରିଡା ହାଇସ୍କୁଲରେ ଗୁଳିକାଣ୍ଡ ! ପୂର୍ବ ଛାତ୍ରର ଆଖିବୁଜା ଗୁଳିମାଡରେ ୧୭ ମୃତ

32

କନକ ବ୍ୟୁରୋ : ଆମେରିକାର ଫ୍ଲୋରିଡା ହାଇସ୍କୁଲରେ ଗୁଳିକାଣ୍ଡ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣକାରୀ ଜଣେ ୧୯ ବର୍ଷର ଛାତ୍ର ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ସଂପୃକ୍ତ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାହାର କରିଦେଇଥିଲେ । ଗତକାଲି ରାତି ଏହି ଗୁଳିକାଣ୍ଡ ହୋଇଛି । ଆକ୍ରମଣକାରୀକୁ ଆମେରିକା ପୋଲିସ ଗିରଫ କରିଛି । ଲାଇଭ ଫୁଟେଜରେ ସଂପୃକ୍ତ ଛାତ୍ରକୁ ସ୍କୁଲ ବାହାରକୁ ଯିବା ଦେଖାଯାଇଥିଲା । ଆମେରିକା ମିଆମିରର ପ୍ରାୟ ୭୨ କିଲୋମିଟର ଦୂର ପାର୍କଲ୍ୟାଣ୍ଡରେ ଥିବା ସ୍କୁଲରେ ଏଭଲି ଭୟାବହ ଗୁଳିକାଣ୍ଡ ହୋଇଛି ।

ବର୍ତ୍ତମାନ ସେଠାକାର ପରିସ୍ଥିତି ବେଶ ଭୟଙ୍କର ବୋଲି ସ୍କୁଲର ସୁପରିଟେଣ୍ଡେଟ କହିଛନ୍ତି । ଗୁଳି କରିଥିବା ଛାତ୍ର ନିକୋଲସ କ୍ରୁଜଙ୍କୁ କିଛି ଦିନ ତଳେ ତାଙ୍କୁ ବିଶୃଙ୍ଖଳା ଯୋଗୁଁ ସ୍କୁଲରୁ ବାହାର କରାଯାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ସଂପୃକ୍ତ ସ୍କୁଲରେ ଗୁଳିକାଣ୍ଡ ହେବାମାତ୍ରେ ସ୍କୁଲ ଆଲାର୍ମ ବାଜିଥିଲା । ଫଳରେ ଛାତ୍ରମାନେ ଭୟରେ ଦୌଡିବା ଆରମ୍ଭ କରିଥିଲେ । ପ୍ରାୟ ୩ ହଜାର ଛାତ୍ର ଦୌଡିବା ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ  ବିନା କୌଣସି ପ୍ରତିବାଦରେ ବନ୍ଧୁକଧାରୀଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଗୁଳିକାଣ୍ଡରେ ୧୨ ଜଣ ସ୍କୁଲ୍‌ ଗୃହ ମଧ୍ୟରେ ନିହତ ହୋଇଥିବା ବେଳେ ଦୁଇ ଜଣ ଗୃହ ବାହାରେ ମରିଛନ୍ତି । ଆଉ ଜଣେ ରାସ୍ତାରେ ଏବଂ ଆହୁରି ଦୁଇ ଜଣ ଡାକ୍ତରଖାନାରେ ମରିଛନ୍ତି । ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଉଭୟ ଛାତ୍ର ଏବଂ ବୟସ୍କ ବ୍ୟକ୍ତି ।