ଚାଷୀଙ୍କ ପାଇଁ ହାଇପ୍ରୋଫାଇଲ ଡ୍ରାମା ! ରାଜଧାନୀରେ ବିଜେଡି, ବିଜେପି ଓ କଂଗ୍ରେସର ବିକ୍ଷୋଭ

79

କନକ ବ୍ୟୁରୋ : ଚାଷୀ ଓଚାଷ ପ୍ରସଙ୍ଗକୁ ନେଇ ହଙ୍ଗାମା । ଆଜି ରାଜଧାନୀରେ ବିଜେଡି, ବିଜେପି ଓ କଂଗ୍ରେସ, ଚାଷୀ ପ୍ରସଙ୍ଗକୁ ଧରି ପ୍ରତିବାଦ କରିଛନ୍ତି । କିଏ ରାଜ୍ୟକୁ ଦୋଷ ଦେଉଛି ତ ଆଉ କିଏ କେନ୍ଦ୍ରକୁ । ସେପଟେ ଆସନ୍ତାକାଲିଠାରୁ ବିଧାନସଭା । ଆଜି ତିନି ରାଜନୈତିକ ଦଳ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏବଂ ସମସ୍ତଙ୍କ ପ୍ରସଙ୍ଗ ତାଲିକାରେ ରହିଛି. ଚାଷ ଓ ଚାଷୀର ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାନର ସର୍ବନିମ୍ନ ମୂଲ୍ୟ ପ୍ରସଙ୍ଗ ବିଜେଡିର ପ୍ରମୁଖ ଇସ୍ୟୁ ରହିବ । ସେପଟେ ବିଜେପି କହିଛି, ଚକଡା ଓ ଚାଷୀ ଆତ୍ମହତ୍ୟାକୁ ମୁଖ୍ୟ ପ୍ରସଙ୍ଗ କରାଯିବ । କଂଗ୍ରେସ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି । ଏସବୁ ଭିତରେ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ରିପୋର୍ଟ ଆସିଛି । ଏଥିରେ କୁହାଯାଇଛି, ୧୯ଟି ଜିଲ୍ଲାର ଚାଷୀ ବର୍ଷା ପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି । ଏବଂ ୩ ଲକ୍ଷ ୮୪ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଏସବୁ ଭିତରେ ରାଜନୀତି ଜୋର ଧରିଛି ।

FARMERଚାଷୀଙ୍କ ପାଇଁ କାହାର ଦରଦ କେତେ? ଚାଷ ପ୍ରତି କେତେ ରହିଛି ଆନ୍ତରିକତା ? ଏହି କଥାକୁ ପ୍ରମାଣିତ କରିବାକୁ ଯାଇ ରାଜନୈତିକ ଦଳ ଗୁଡ଼ିକର ଭିତରେ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦିତା । ଧାନର ସହାୟକ ମୁଲ୍ୟ ବୃଦ୍ଧି ଦାବିରେ ରାଜଧାନୀରେ ହାଇପ୍ରୋଫାଇଲ ଡ୍ରାମା । ଚାଷୀଙ୍କ ପାଇଁ କେତେ ଦରଦ ଅଛି, ତାହା ଦେଖାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି କୃଷକ ମୋର୍ଚ୍ଚା, ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଯାଇ କର୍ଡନ ଭାଙ୍ଗି ସଚିବାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଛି । ଯେଉଁଠି ବିଜେପି କର୍ମୀ ଏବଂ ପୁଲିସ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପଟେ ରାଜଭବନ ସାମ୍ନାରେ ଧାରଣା ଦେଇଛି ବିଜୁ ଜନତା ଦଳ । ମୋଦି ସରକାରଙ୍କ ବିରୋଧରେ ବର୍ଷିବା ସହ ରାଜଭବନ ଆଗରେ ସୁରକ୍ଷା କର୍ମଚାରୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏହି ପ୍ରତିଯୋଗତିରେ ବାଦ ପଡ଼ିନଥିଲା ରାଜ୍ୟ କଂଗ୍ରେସ । କଂଗ୍ରେସ କୃଷକ ସେଲ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବଢ଼ାଇବା ଦାବି ନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲା ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଦାବିରେ ବିଜେପି, ମୁଖ୍ୟମନ୍ତ୍ରୀଙ୍କୁ ଘେରିବାର ଉଦ୍ୟମ କରିଛି । ସେହିପରି ଫସଲହାନୀର ରିପୋର୍ଟ ନେଇ ଆପତି ଉଠାଇଛି ବିଜେପି । ବ୍ୟୟ ତୁଳନାରେ ଚାଷୀଙ୍କ ଆୟ କମ୍ ହେଉଥିବା କଂଗ୍ରେସ କହିବା ସହ ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଉଛି ବୋଲି ଅଭିଯୋଗ କରିଛିି । ଆଉ ଏସବୁ ଭିତରେ ଧାନର ସହାୟକ ମୁଲ୍ୟରେ ଦେଢ଼ଗୁଣ ବୃଦ୍ଧି ନେଇ ମୋଦି ସରକାର ଦେଇଥିବା ପ୍ରତିଶୁତି କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି ।

ଆଉ ଏସବୁ ଭିତରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ଦୋଳନ କରିବାର ଅଛି ତ କେନ୍ଦ୍ର ଆଗରେ ଆନ୍ଦୋଳନ କର ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି-
– ପ୍ରତିଶ୍ରୁତି ଅନୁସାରେ ବିଜେଡି ସରକାର କାହିଁକି ଚାଷୀଙ୍କୁ ଦେଉନି ବୋନସ୍ ?
-ଏମ୍ଏସପି ଉପରେ ଶହେ ଟଙ୍କାର ବୋନସର ପ୍ରତିଶ୍ରୁତି ଗଲା କୁଆଡେ ?
-କେନ୍ଦ୍ର ସରକାର କାହିଁକି ସହାୟକ ମୂଲ୍ୟ ଦେଢ଼ଗୁଣା ବଢ଼ାଇବାକୁ ମଙ୍ଗୁ ନାହିଁ ?
-ସ୍ୱାମୀନାଥନ୍ କମିଶନର ସୁପାରିଶକୁ ଲାଗୁ କରିବା ପ୍ରତିଶ୍ରୁତି କୁଆଡେ ଗଲା ?