ବିଜେଡିର ଏକ, ବିଜେପିର ଅନେକ ! ବିଜେପୁର ପ୍ରଚାର ମଇଦାନରେ ମଙ୍ଗ ଧରିବାକୁ ତାଲିକା ପ୍ରସ୍ତୁତ

44

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଏବେ ସବୁ ଦଳ ସଜବାଜ ହେଲେଣି । ନିର୍ବାଚନ ତାରିଖ ଘୋଷଣାର ଢେର ପୂର୍ବରୁ ଏଠାରେ ରାଜନୀତି ସରଗରମ ଥିବା ବେଳେ ଏବେ ଏହି ତାତି ବହୁଗୁଣ ବଢିଯାଇଛି । ଏହି ଲଢେଇର ସବୁଠୁ ଆଗରେ ଅଛନ୍ତି ବିଜେଡି ଓ ବିଜେପି । ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରେ ଡେରା ପକାଇବା ପାଇଁ ମନ୍ତ୍ରୀ, ବିଧାୟକଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରିସାରିଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଓ ନେତାଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିଆରି କରୁଛନ୍ତି ବ୍ଲୁ ପ୍ରିଂଟ । ଆଗକୁ ଅଧିକ ଜୋରଦାର ହେବ ବିଜେପୁର ଲଢେଇ ।ବିଜେପୁର ବାଜି ଜିତିବାକୁ ଉଭୟ ବିଜେଡି ଓ ବିଜେପି ଶିବିରରେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଗୋଟିଏ ପଟେ ନବୀନଙ୍କ ନେତୃତ୍ୱରେ ମାଳମାଳ ମନ୍ତ୍ରୀ ଓ ବିଧାୟକ ପ୍ରଚାର ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟପଟେ ବିଜେପି ପ୍ରଚାରର ମଙ୍ଗ ଧରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

bijepurମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଷ୍ଟାର ପ୍ରଚାରକ । ତାଙ୍କରି ନାଁରେ ଗତ ୧୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସାରା ଓଡିଶାରେ ଭୋଟ୍ ପାଉଛି ବିଜେଡି । ତେଣୁ ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାରର ମଙ୍ଗ ଧରିବେ ନବୀନ । ସେହିପରି ସ୍ଥାନୀୟ ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ବିଧାୟକ ନିରଞ୍ଜନ ପୂଜାରୀ ଓ ଦେବୀ ପ୍ରସାଦ ମିଶ୍ରଙ୍କ ପରି ହାଇପ୍ରୋଫାଇଲ ନେତାଙ୍କ ପ୍ରଚାର ଗାଡି ବିଜେପୁର ମାଟିରେ ଗଡିବ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏତିକିରେ ଅଟକିବ ନାହିଁ ଦଳ, କଂଗ୍ରେସ ଗଡରେ ଶୁଭିବ ଶଙ୍ଖ ଧ୍ୱନି ଯେଉଁଥି ପାଇଁ ପ୍ରଚାର ତାଲିକାରେ ଆହୁରି ଅନେକ ବିଧାୟକ ଓ ନେତାଙ୍କୁ ସାମିଲ କରିଛନ୍ତି ବିଜେଡି ନୀତି ନିର୍ଦ୍ଧାରକ । ଏପରିକି ଦାୟିତ୍ୱରେ ଥିବା ନେତାଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେଡି କହିଛି ।

bijepurସେପଟେ ପଂଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇଥିବା ବିଜେପି କ୍ୟାମ୍ପ ମଧ୍ୟ କଂଗ୍ରେସ ଗଡରେ ପଦ୍ମ ଫୁଟାଇବାକୁ ସବୁ କଳ କୌଶଳ ଲଗାଇବାକୁ ତିଆରି କରିଛି ବ୍ଲୁ-ପ୍ରିଂଟ । ପଂଚାୟତ ପ୍ରଚାରବେଳେ ଯେଉଁ ପ୍ରୟୋଗ ପଦ୍ମଦଳକୁ ଦ୍ୱିତୀୟ ସ୍ଥାନରେ ରଖିଥିଲା ପୁଣି ବିଜେପୁରରେ ସେହି ପ୍ରୟୋଗ କରିବାକୁ ଯାଉଛନ୍ତି ବିଜେପି ଟପ୍ ବସ । ବିଜେପି ପ୍ରାର୍ଥୀଙ୍କ ପାଇଁ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଜୁଏଲ ଓରାମ ଧରିବେ ପ୍ରଚାରର ମଙ୍ଗ । ସେହିପରି ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ରାମ କୃପାଲ ଯାଦବଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମଧ୍ୟ ବିଜେପୁର ମାଟିରେ ଦେଖିବାକୁ ମିଳିବ । ବିଜେପି ପ୍ରଭାରୀ ଅରୁଣ ସିଂ ଓ କେନ୍ଦ୍ରୀୟ ନେତା ସୌଦାନ ସିଂ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ତେବେ ଏସବୁ ଭିତରେ ବିଜେପୁର ନିର୍ବାଚନ କ୍ଷେତ୍ରର ତିନିଟି ବ୍ଲକ ପାଇଁ ତିନି ତୁଙ୍ଗ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ । ଗାଇସିଲଟ ବ୍ଲକରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପୁରରେ ଜୟନାରାୟଣ ମିଶ୍ର ଓ ବରକାଲିରେ ବିଧାୟକ ଦଳ ନେତା କେଭି ସିଂଦେଓ ପ୍ରଚାରର ତଦାରଖ କରିବେ । ତେଣୁ ପୁଣିଥରେ ପଞ୍ଚାୟତ ନିର୍ବାଚନ ପରି ବିଜେପୁର ଉପ-ନର୍ବିାଚନରେ ଦଳ ବାଜି ମାରିବ ବୋଲି କହିଛି ବିଜେପି । ଏହାସହ ବିଜେପି କହିଛି ବିଜେପୁର ଉପନିର୍ବାଚନକୁ ନେଇ ବିଜେଡି ଏବେ ଭୟଭୀତ ହୋଇଛି ।ଏପରିକି ସରକାରୀ ଅଧିକାରୀଙ୍କୁ ଏବେଠାରୁ ଧମକାଇବା ଆରମ୍ଭ କରିଛି ବିଜେଡି ।

bijepurଏହି ରେସରେ ପଛରେ ପଡିନି କଂଗ୍ରେସ । କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ତେବେ ଏଥର ବି କଂଗ୍ରେସର ଗଡ ଭାବେ ପରିଚିତ ବିଜେପୁରରେ କଂଗ୍ରେସ ବାଜିମାତ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।ବିଜେପୁରରେ ଯିଏ ବାଜି ଜିତିବ ସେ ୭ ମାସ ପାଇଁ କ୍ଷମତାରେ ରହିବ । ତଥାପି ବିଜେପୁର ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । କାହିଁକି ନା ବିଜେପୁର ବିଜୟ ଉପରେ ନିର୍ଭର କରୁଛି ୨୦୧୯ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି । ଏହାସହ ବିଜେପୁର ଉପନିର୍ବାଚନର ଫଳାଫଳ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ଉପରେ ମଧ୍ୟ ପଡିବ । ତେଣୁ ବିଜେପୁର ହାତେଇବା ପାଇଁ ଏବେ ଜି ଜାନ ଲଗାଇ ଦେଇଛନ୍ତି ପ୍ରତି ଦଳ ।