କୋଣାର୍କ ମନ୍ଦିର ପ୍ରସଙ୍ଗ । ମନ୍ତ୍ରୀଙ୍କ ପ୍ରଶ୍ନ,ଏଏସଆଇର ଉତ୍ତର । କୋଣାର୍କ ସ୍ଥିତିର ସମୀକ୍ଷା ପାଇଁ ବସିଲା ଉଚ୍ଚସ୍ତରୀୟ ବୈଠକ ।

କୋଣାର୍କ ନେଇ କିଏ କହୁଛି ସତ ? ସମୀକ୍ଷା ବୈଠକ ପରେ ଏଏସଆଇ କହିଲା ମନ୍ଦିରରୁ ହଟିନାହିଁ କୌଣସି କାରୁକାର୍ଯ୍ୟପୂର୍ଣ୍ଣ ପଥର, ସେପଟେ ଷ୍ଟିୟରିଂ କମିଟି କରିବାକୁ କହିଲେ ସଂସ୍କୃତି ମନ୍ତ୍ରୀ ।

203

କନକ ବ୍ୟୁରୋ: ଅର୍କକ୍ଷେତ୍ର କୋଣାର୍କ ମନ୍ଦିରରୁ ପଥର କଢ଼ାଯିବା ପ୍ରସଙ୍ଗ ।  କୋଣାର୍କରେ କୌଣସି ପଥର ବଦଳା ଯାଇନାହିଁ । ଏଏସଆଇ ଆକ୍ଟ ଅନୁସାରେ କେବଳ ଖାଲି ପଡିଥିବା ସ୍ଥାନରେ ସାଧାରଣ ପଥର ଲଗାଯାଇ ଫିଲପ୍ ହୋଇଛି ବୋଲି କହିଛି ଏଏସଆଇ । ପୂର୍ବରୁ କୋଣାର୍କମନ୍ଦିରର ଖାଲିଥିବା ସ୍ଥାନରେ କ’ଣ ଥିଲା ତାର ଫୋଟୋ କାହା ପାଖରେ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଏଏସଆଇ କର୍ତ୍ତୁପକ୍ଷ ।

କୋଣାର୍କ ମନ୍ଦିରରେ ସାଧା ପଥର ଲଗାଇବା ଘଟଣା ନେଇ ଆଜି ସଚିବାଳୟରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ଏହି ବୈଠକ ଶେଷପରେ ପରେ ଏଭଳି କହିଛନ୍ତି ଏଏସଆଇ ପ୍ରତ୍ନତତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଏହାସହ ସେ କହିଛନ୍ତି ଯେ, ମନ୍ଦିରର ଖାଲି ପଥର ଲାଗିଥିବା ସ୍ଥାନରେ କୈାଣସି କାରୂକାର୍ଯ୍ୟର ପଥର ନଥିଲା । ଏଏସଆଇ କିଛି ବି ପଥର ବଦଳାଇନାହିଁ ବୋଲି ସ୍ପଷ୍ଟୀକରଣରେ ଅରୁଣ କହିଛନ୍ତି । ଏବଂ ସେମାନଙ୍କ ପାଖରେ ପ୍ରମାଣ ରହିଛି । ତେବେ କୋଣାର୍କ ମନ୍ଦିରର ମୁଖଶାଳା ପାଖରୁ ୪୦ ପ୍ରତିଶତ ସ୍ଥାନରୁ ପଥର ହଟାଯାଇଥିବା ନେଇ ଅଭିଯୋଗ ହୋଇଛି ।

ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏଏସଆଇ ଅନୁସାରେ କଥର ବଦଳାଯାଇ ପାରିବ । ଦିଲ୍ଲୀରେ ହ୍ୟୁମାୟୁଁ ଟମ୍ବ ଭଳି କାରୁକାର୍ଯ୍ୟପୂର୍ଣ୍ଣ ପଥର ଲଗାଇବା ବ୍ୟବସ୍ଥା ହେବ । କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଷ୍ଟିୟରିଂ କମିଟି ମିଟିଂ କରିବାକୁ ଏଏସଆଇ ଚିଠି ହେବ । ୧୯୯୭, ୨୦୧୦ ରେ ମିଟିଂ ହୋଇଥିଲା ସେବାବଦରେ କ’ଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ତଥ୍ୟ ମାଗିବୁ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ।

ଗତ କିଛିଦନ ହେବ ବିଶ୍ୱପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି କାଢିନେବା ପରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ୱର ଉଠିଥିଲା । ଏହା ପରେ ସଂସ୍କୃତି ମନ୍ତ୍ରୀ ତନାଘନା ଆରମ୍ଭ କରିଛନ୍ତି । କୋଣାର୍କରେ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତି ବଦଳରେ ଲାଗିଥିଲା ସାଧା ପଥର । କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ହଜି ଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଥିବା ଦେଖିବାକୁ ମିଳିଛି । ଏବେ ଏଏସଆଇର ସ୍ପଷ୍ଟୀକରଣ ପରେ ପ୍ରକୃତ ସତ୍ୟ କ’ଣ ? ପ୍ରକୃତରେ କ’ଣ ସେଠାରେ ପଥର ଥିଲା ? ଯଦି ଥିଲା ଏବେ ସେହି ପଥର କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।