ପୁରୁଣା କଥା ଭୁଲିଯାଅ, ଆମ ସହ ଆସିଲେ ଯେତିକି କମେଇଛ ତାହା ଠାରୁ ୧୦୦ ଗୁଣ ଅଧିକ କମେଇବ ! ବିଧାୟକଙ୍କୁ ବିଜେପି ନେତା ଟଙ୍କା ଯାଚୁଥିବାର ଅଡ଼ିଓ ଟେପ ଜାରି କଲା କଂଗ୍ରେସ

66

କନକ ବ୍ୟୁରୋ : କର୍ଣ୍ଣାଟକ ନାଟକରେ ଯୋଡି ହୋଇଯାଇଛି ନୂଆ ଅଧ୍ୟାୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ବିଜେପି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଯାଉଥିବାବେଳେ କଂଗ୍ରେସ ଆଣିଛି ସାଂଘାତିକ ଅଭିଯୋଗ । ଆବଶ୍ୟକ ସଂଖ୍ୟା ନଥିବା ବିଜେପି ଟଙ୍କାର ଲୋଭ ଦେଖାଇ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଦଳ । ଏପରିକି ବିଜେପି ବିଧାୟକ ତଥା ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡି, ରାଇଚୁର ରୁରାଲ ଆସନରୁ ବିଜୟୀ ଜଣେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ଯାଚୁଥିବାର ଏକ ଅଡିଓ ଟେପ ଜାରି କରିଛି କଂଗ୍ରେସ ।

ଯେଉଁଥିରେ ଜନାର୍ଦ୍ଦନ ରେଡ୍ଡି ସଂପୃକ୍ତ ବିଧାୟକଙ୍କୁ ଆସନ୍ତାକାଲି ବିଧାନସଭାରେ ୟେଦିୟୁରପ୍ପାଙ୍କୁ ସମର୍ଥନ କରିବା ପାଇଁ କହୁଛନ୍ତି ଆଉ ପ୍ରତିବଦଳରେ ତାଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି । ଏହି ଅଡିଓ ଟେପର ବୈଦ୍ଧତା ସ୍ପଷ୍ଟ ହୋଇନଥିବାବେଳେ ଏକ ସାମ୍ବାଦିକ ସମ୍ମିଳନୀ କରି ଟେଲିଫୋନ ବାର୍ତାଳାପର ଏହି ଅଡିଓ ଟେପକୁ ଜାରି କରିଛି କଂଗ୍ରେସ ।

ଜନାର୍ଦ୍ଦନ ରେଡ୍ଡି ଓ ବାସନାଗୌଡ଼ାଙ୍କ ଭିତରେ ହୋଇଥିବା କଥାବାର୍ତା

ଜନାର୍ଦ୍ଦନ ରେଡ୍ଡି :
ବାସନାଗୌଡା କହୁଛନ୍ତି? ଆପଣ ଫ୍ରି ଅଛନ୍ତି?

ବାସନାଗୌଡା:
ହଁ ଆଜ୍ଞା ମୁଁ କହୁଛି ।

ଜନାର୍ଦ୍ଦନ ରେଡ୍ଡି :
ଆଗରୁ ଯାହାକିଛି ହୋଇଛି ସବୁ ଭୁଲିଯାଅ । ସବୁ ଖରାପ କଥାକୁ ଭୁଲିଯାଅ । ମୋର ଭଲ ସମୟ ଆସିଯାଇଛି । ଜାତୀୟ ସଭାପତିଙ୍କ ସହ ତୁମର ଅଲୋଚନା ପାଇଁ ବନ୍ଦୋବସ୍ତ କରିବି । ତାଙ୍କସହ ସିଧାସଳଖ କଥାହେବ । ଆମେ ପରବର୍ତ୍ତି ପଦକ୍ଷେପ ନେବା ।

ବାସନାଗୌଡା :
ନାହିଁ ସାର । ଶେଷ ମୁହୂର୍ତ୍ତରେ ସେମାନେ ମୋତେ ବିଧାୟକ କରିଛନ୍ତି ।

ଜନାର୍ଦ୍ଦନ ରେଡ୍ଡି :
ମୁଁ ଗୋଟେ କଥା କହୁଛି । ବିଏସଆରଙ୍କ ସମୟରେ ଆମେ ଯେତେବେଳେ ଦଳ ଗଢିଲୁ ବହୁତ ଖରାପ ସମୟ ଥିଲା । ଅନେକ ବିରୋଧ ହୋଇଥିଲା । ଏକଥା ସତ ଯେ, ଆମକୁ ବିଶ୍ୱାସ କରି ତମେ ଅନେକ କିଛି ହରାଇଛ । କିନ୍ତୁ ମୁଁ ଆଶ୍ୱାସନା ଦେଉଛି ତମେ ୧୦୦ଗୁଣା ଉନ୍ନତି କରିବ । ଶିବନାଗୌଡା ମୋ ପାଇଁ ମନ୍ତ୍ରୀ ହୋଇପାରିଲେ । ଏବେ ସେ ନିଜକଥା ନିଜେ ବୁଝିବାକୁ ସକ୍ଷମ । କେବଳ ମୋ ପାଇଁ । ରାଜୁ ଗୌଡା ବି ଲାଭବାନ ହୋଇଛନ୍ତି ।

ବାସନାଗୌଡା :
ଆଜ୍ଞା

ଜନାର୍ଦ୍ଦନ ରେଡ୍ଡି :
ଏହା ତମର ଦୁର୍ଭାଗ୍ୟ ଯେ, ସେତେବେଳେ ଆମର ଖରାପ ସମୟ ଥିଲା । ଆଜି ଶିବନାଗୌଡାଙ୍କ ବିଜୟର କିଛି ମାନେ ନାହିଁ । ତୁମେ ମନ୍ତ୍ରୀ ହେବ । ବୁଝିପାରୁଛ ନା ନାହିଁ । ନେତାଙ୍କ ସହ ତମେ ସିଧା ଦେଖା କରିବ । ତାଙ୍କ ସହ କଥାବାର୍ତ୍ତା ପାଇଁ ମୁଁ ବ୍ୟବସ୍ଥା କରିବି । ଆଜି ପର୍ଯ୍ୟନ୍ତ ଯେତେ ରୋଜଗାର କରିଛ ତାର ୧୦୦ଗୁଣା କମେଇବ ।

ବାସନାଗୌଡା :
ସାର ମୁଁ ଦୁଃଖିତ । ଶେଷ ସମୟରେ ସେମାନେ ମୋତେ ଖଣ୍ଡେ ଟିକେଟ ଦେଲେ ଆଉ ଜିତିବାକୁ ସାହାଯ୍ୟ କଲେ । ଏଭଳି ପରିସ୍ଥିତିରେ ମୁଁ ତାଙ୍କୁ ଧୋକା ଦେଇପାରିବିନି । ମୁଁ ଆପଣଙ୍କୁ ସମ୍ମାନ କରେ
ବାସ ଏହାପରେ ଫୋନ କଟିଯାଇଥିଲା । ଗୋଟିଏ ପଟେ ବିଜେପି ଘୋଡ଼ାବେପାର କରି କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣୁଥିବା ବେଳେ ଏବେ ଏଭଳି ଅଡ଼ିଓ ଟେପ କର୍ଣ୍ଣାଟକ ରାଜନୀତି ନାଟକର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।