କଂଗ୍ରେସ ଭବନରେ ହାଇଡ୍ରାମା । ରାହୁଲ, ସୋନିଆ ଓ ମନମୋହନଙ୍କ ବ୍ୟତୀତ କାହା ନାଁରେ ନାରାବାଜି ହୋଇପାରିବନି ବୋଲି ରୋକଠୋକ ଶୁଣାଇଲେ ଦିଲ୍ଲୀ ନେତା ।

435

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ, ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ଭବନରେ କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ ପାୱାର ଶୋ ପାଇଁ ପହଁଚିଥିଲେ , ଯୁବ କଂଗ୍ରେସ ସଭାପତି ପଦ ପାଇଁ ଆଶାୟୀ ଯୁବ ନେତା । ଏହି ସମୟରେ କଂଗ୍ରେସ ଭବନ ବାହାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ ।

ରାହୁଲ, ସୋନିଆ ଓ ମନମୋହନଙ୍କ ବ୍ୟତୀତ କାହା ନାଁରେ ନାରାବାଜି ହୋଇପାରିବ ନାହିଁ । ଗାଡି ଉପରେ ଛିଡା ହୋଇ ଯୁବ କଂଗ୍ରେସ କର୍ମୀଙ୍କୁ ଏମିତି ତାଗିଦ୍ କରୁଛନ୍ତି ଯୁବ କଂଗ୍ରେସର ସର୍ବଭାରତୀୟ ସାଧାରଣ ସମ୍ପାଦିକା ତଥା ଓଡିଶା ଇନଚାର୍ଜ ପ୍ରତିଭା ରାଜବଂଶୀ । କାର୍ଯ୍ୟକାରିଣୀ ବୈଠକରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଆଶାୟୀ ବିଭିନ୍ନ ଯୁବନେତାଙ୍କ ପାୱାର ଶୋ ଆଜି କଂଗ୍ରେସ ଭବନରେ ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ, ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ ।

ସୂଚନା ଅନୁସାରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ୭ ଜଣ ଯୁବ ନେତା ଆଶାୟୀ ଅଛନ୍ତି । ଏଥି ପାଇଁ ସବୁ ଗୋଷ୍ଠୀ କେନ୍ଦ୍ର ନେତୃତ୍ୱ ସମ୍ମୁଖରେ ନିଜର ପତିଆରା ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି । କିନ୍ତୁ କଂଗ୍ରେସର ଚିରାଚରିତ ଫାଟ ଯୁବ ସଂଗଠନରେ ସ୍ୱଷ୍ଟ ଭାବେ ବାରି ହୋଇପଡୁଛି । ଏହି ଫାଟ ଏଥିପାଇଁ କୁହାଯାଉଛି କାରଣ ଯୁବ କଂଗ୍ରେସକୁ ସଜାଡିବା ଲାଗି ପିସିସି ସଭାପତି ଯୁବ କଂଗ୍ରେସର ୪ ଜଣ ପୂର୍ବତନ ସଭାପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ । ରବିବାର ଏହି କମିଟି ବୈଠକ କରି ବିଭିନ୍ନ ଯୁବ ନେତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେମାନେ କୈାଣସି ରିପୋର୍ଟ ଦେବା ଆଗରୁ ପୁଣିଥରେ ବୈଠକକୁ ନେଇ ଉଠିଛି ଦ୍ୱନ୍ଦ । ତେବେ ପିସିସି ସଭାପତି କହିଛିନ୍ତି ଯୁବ କଂଗ୍ରେସର ପଦାଧିକାରୀ କିଏ ହେବ ସେ ଦାୟିତ୍ୱ କେନ୍ଦ୍ରର । ସେ କମିଟିର ରିପୋର୍ଟ କେବଳ କେନ୍ଦ୍ର ଯୁବ କଂଗ୍ରେସ ଅଧିକାରୀଙ୍କୁ ପଠାଇବେ ।

ଏହି ଛକାପଞ୍ଝା ଭିତରେ ପୂର୍ବତନ ସଭାପତିଙ୍କୁ ନେଇ ଗଠିତ କମିଟି ଆଧାରରେ ନା ସାଧାରଣ ସମ୍ପାଦିକାଙ୍କ ରିପୋର୍ଟ ଆଧାରରେ ଯୁବ କଂଗ୍ରେସର ସଭାପତି ଚୟନ ହେଉଛି, ତାହାକୁ ଅପେକ୍ଷା ।