ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜାବବ ତଲବ କଲେ ହାଇକୋର୍ଟ । ଏସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ସରକାର ଜାଣିଶୁଣି ଲୋକାୟୁକ୍ତ ନିଯୁକ୍ତି ନେଇ ଗେଜେଟ ନୋଟିଫିକେସନ କରୁନଥିବା ଅଭିଯୋଗ କରି ହାଇକୋର୍ଟରେ ପିଆଇଏଲ କରିଥିଲେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମା ବଲ୍ଲଭ ରଥ । ୨୦୧୪ରେ ରାଜ୍ୟ ସରକାର ଦେଶରେ ପ୍ରଥମ ରାଜ୍ୟ ଭାବେ ବିଧାନସଭାରେ ଲୋକପାଳ ଆଇନ ଆଣିଥିଲେ । ୨୦୧୫ରେ ରଷ୍ଟ୍ରପତି ଏହାକୁ ଅନୁମୋଦନ କରିବା ପରେ ଆଇନରେ ପରିଣତ ହୋଇସାରିଛି । ହେଲେ ୨୦୧୩ରେ ଜଷ୍ଟିସ ପି.କେ. ପାତ୍ରଙ୍କ ଦେହାନ୍ତ ପରଠାରୁ ଲୋକାୟୁକ୍ତ ପଦବୀ ଖାଲି ରହିଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ନିର୍ଦେଶ ଦେବାକୁ ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ । ଉମା ବଲ୍ଲଭଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସ ଓ ଚିନ୍ମୟ ମିଶ୍ର । ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ଫଳରେ ଅନେକ ଦୁର୍ନୀତିର ବିଚାର ନହୋଇ ପଡିରହିଥିବା ଆବେଦାନକାରୀଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି କରାଯାଇଥିଲା  ।