ଦୀର୍ଘ ୭ ବର୍ଷ ବିତିଗଲାଣି, ପରିବର୍ତ୍ତନ ହୋଇପାରି ନାହିଁ ହାଇକୋର୍ଟର ନାମ ! କେବେ ହେବ ହାଇକୋର୍ଟ ଅଫ୍ ଓଡ଼ିଶା ?

102

କନକ ବ୍ୟୁରୋ : ରାଜ୍ୟର ନାମ ଓରିଶାରୁ ଓଡ଼ିଶା ହେବାର ୭ ବର୍ଷ ପରେ ମଧ୍ୟ ହାଇକୋର୍ଟର ନାମ ପରିବର୍ତ୍ତନ ହୋଇପାରି ନାହିଁ । ଏବେଯାଏଁ ହାଇକୋର୍ଟ ଅଫ୍‌ ଓରିଶା ହୋଇ ରହିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଓଡ଼ିଶାର ଦୀର୍ଘ ବର୍ଷର ଦାବିକୁ ମାନି ନେଇ ଗତ ୨୦୧୧ ମସିହାରେ ୧୧୩ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଓରିଶାରୁ ଓଡ଼ିଶା ହେଲା । ତେବେ ହାଇକୋର୍ଟର ନାମ କାହିଁକି ପରିବର୍ତ୍ତନ କରାଯାଉନାହିଁ ? କେବେ ଏହା ଓରିଶାରୁ ଓଡ଼ିଶା ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ସୂଚନା ମୁତାବକ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ  ଓରିଶା ଥିଲା । ଦେଶ ସ୍ୱାଧୀନ ହେବା ପରେ ସମ୍ବିଧାନରେ ରାଜ୍ୟର ନାମ ଓରିଶା ଓ ଭାଷାର ନାମ ଓରିଆ ବୋଲି ଉଲ୍ଲେଖ ଥିଲା । ବିଭିନ୍ନ ସଂଗଠନ  ଓ ମଞ୍ଚ ପକ୍ଷରୁ ବାରମ୍ବାର ପ୍ରତିବାଦ ପରେ  ତ୍ରୁଟି ସଂଶୋଧନ  ପାଇଁ ଗତ ୨୦୦୮ ଅଗଷ୍ଟ ୨୮ ତାରିଖରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ୨୦୧୦ ମସିହା ନଭେମ୍ବର ୯ ତାରିଖରେ ଏକ ସ୍ବତନ୍ତ୍ର ବିଲ୍‌ ଲୋକସଭାରେ  ପାରିତ ହେବା ପରେ  ୨୦୧୧ ମାର୍ଚ୍ଚ ୨୪ ତାରିଖରେ ସଂଶୋଧନ ସହ ରାଜ୍ୟସଭାରେ ଗୃହୀତ ହୋଇଥିଲା ।

ଏହାପରେ ୨୦୧୧ ନଭେମ୍ବର ୪ ତାରିଖରେ ରାଷ୍ଟ୍ରପତି ସଂସଦରେ ପାରିତ ଏହି  ବି‌ଧେୟକକୁ ବିଧିବଦ୍ଧ ଭାବେ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେବେଠାରୁ ରାଜ୍ୟ ରାଜଭବନ, ବିଧାନସଭା, ସିଚିବାଳୟ ସମେତ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଇଂରାଜୀ ଓ ହିନ୍ଦୀରେ ରାଜ୍ୟର ନାମ ଓଡ଼ିଶା ଓ ଭାଷା ଓଡ଼ିଆ ବୋଲି ପ୍ରଚଳନ ହୋଇଆସୁଛି । ହେଲେ ହାଇକୋର୍ଟ ଅଫ୍‌ ଓରିଶାର ନାମ ଏଯାଏ ପରିବର୍ତ୍ତନ ହୋଇନାହିଁ । ତେଣୁ ଉଭୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସୁପ୍ରିମ୍‌କୋର୍ଟ ଏବଂ ହାଇକୋର୍ଟଙ୍କ ସମେତ ଆଇନ ବିଶାରଦ ଓ ଚିନ୍ତାଶୀଳ ଭାଷାପ୍ରେମୀମାନେ ସକରାତ୍ମକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ  ନିବେଦନ କରାଯାଇଛି ।