ରାଜ୍ୟରେ ବଢ଼ୁଛି ଥଣ୍ଡା : ଶୀତର ଚାଦରରେ ଘୋଡେଇ ହୋଇଛି କନ୍ଧମାଳ

18

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ଥଣ୍ଡା । କୋହଲା ପବନ ସାଙ୍ଗକୁ ହାଡଭଙ୍ଗା ଶୀତରେ ଥରୁଛନ୍ତି ରାଜ୍ୟବାସୀ । ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୪.୯ ଡିଗ୍ରୀ ସେଲସିୟସ ଥିବା ବେଳେ କଟକର ତାପମାତ୍ରା ରହିଛି ୧୪ ଡିଗ୍ରୀ ସେଲସିୟସ । ତେବେ ପୁରୀରେ ୧୬.୭ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଅନୁଗୁଳର ୧୦ ଓ ସମ୍ବଲପୁରର ତାପମାତ୍ରା ରହିଛି ୧୦.୭ ଡିଗ୍ରୀ ସେଲସିୟସ ।

କନ୍ଧମାଳକୁ ଫେରିଛି ଥଣ୍ଡା । ପାରଦ ଖସିବା ସାଙ୍ଗକୁ ଶୀତର ପ୍ରଭାବ ବଢି ଚାଲିଛି । ଥଣ୍ଡା କାଲୁଆ ପବନରେ ଥରି ଯାଉଛି ଦେହ ହାତ । ସକାଳୁ ସକାଳୁ କୁହୁଡିର ଆବରଣ ସାରା ସହରକୁ ଘୋଡାଇ ରଖୁଛି । ଫଳରେ ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି ଲୋକେ । ଫୁଲବାଣୀ ଓ ଦାରିଙ୍ଗିବାଡିରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି । ଦାରିଙ୍ଗିବାଡ଼ିରେ ତାପମାତ୍ରା ୬ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ରହିଛି ୭ଡିଗ୍ରୀ ସେଲ୍ସିୟସ୍ । ତେବେ ପ୍ରବଳ ଥଣ୍ଡା ସତ୍ୱେ ମନୋରମ ଦୃଶ୍ୟ ବି ଦେଖିବାକୁ ମିଳିଛି । ରଙ୍ଗ ବେରଙ୍ଗୀ ଫୁଲରେ ସଜେଇ ହୋଇଛି ସହର ।