ଟଙ୍କା ନିଅ ଭୋଟ ଦିଅ ! ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ନୂଆ ଫର୍ମୂଲା

105

କନକ ବ୍ୟୁରୋ : ସରିଲା ଛାତ୍ର ସଂସଦ ନିର୍ବାଚନ । ଏବେ କ୍ୟାମ୍ପସରେ ଚାଲିଛି ଉତ୍ସବର ମାହୋଲ । ଡିଜେ ସାଉଣ୍ଡ ସାଙ୍ଗକୁ ପଞ୍ଜାବୀ ଢୋଲରେ ଦୁଲୁକୁଛି କ୍ୟାମ୍ପସ । ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ବିଜେବି କଲେଜରେ ସାଇନ ଏ ଡାଏ ହେବା ପରେ ଏବେ ସମସ୍ତଙ୍କ ନଜର ଥିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଉପରେ । ସବୁ ରାଜନୈତିକ ଦଳର ଫୋକସରେ ରହିଥିଲା ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ । ତେବେ ଆଜି ମତଦାନ ଚାଲିଥିବା ବେଳେ ଆଜି ରମାଦେବୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ramadeviଭୋଟ ହାତେଇବାକୁ ଗୋଟିଏ ଛାତ୍ରୀ ଗୋଷ୍ଠୀ ଟଙ୍କା ବାଣ୍ଟୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କେବଳ ଟଙ୍କା ନୁହେଁ ଠାକୁରଙ୍କ ସିନ୍ଦୁର ମଧ୍ୟ ଭୋଟ ଆଣିବାରେ ସହାୟକ ହେଉଛି । ଛାତ୍ରୀଙ୍କୁ ମନ ଜିଣିବା ପାଇଁ ଗୋଲାପ ଫୁଲ ସହ କଲମ ଓ ଚକୋଲେଟ ଦେଇ ଭୋଟ ଦେବାକୁ କୁହାଯାଉଛି । ପ୍ରତି ଭୋଟ ପିଛା ୫ ଶହ ଟଙ୍କା ଦିଆଯାଉଥିବା ଅଭିଯୋଗ ହେଇଛି । ଛାତ୍ରୀ ମାନେ ଭୋଟ ଦେବାକୁ ଭିତରକୁ ଯିବା ବେଳେ ଏକ ଛାତ୍ରୀ ଗୋଷ୍ଠୀ ଲାଇବ୍ରେରୀ କାର୍ଡ ଭିତରେ ପାଞ୍ଚଶହ ଟଙ୍କା ହାତଗୁଞ୍ଜା ଦେଉଥିବାର ଘଟଣା ସାମ୍ନାକୁ ଆସିଛି । ଲିଙ୍ଗଡୋ କମିଶନ ନିୟମ ଅନୁଯାୟୀ, ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ମାନେ ୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରି ପାରିବେ ନାହିଁ କିନ୍ତୁ ରମାଦେବୀରେ ଲିଙ୍ଗଡୋ କମିସନର ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ଛାତ୍ରୀ ।

RDବାଣୀବିହାର ଓ ବିଜେବି କଲେଜ ସାଇନ ଏ ଡାଏ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ । ଆଜି ନିଜ ସମର୍ଥନରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନେ ଶେଷ ଅସ୍ତ୍ର ଭାବେ ଟଙ୍କାକୁ ବ୍ୟବହାର କରିଛନ୍ତି । ସାଧାରଣ ନିର୍ବାଚନ ଭଳି ଲକ୍ଷ ଲକ୍ଷ ଟଙ୍କା ଉଡୁଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ । ଲିଙ୍ଗଡୋ କମିସନ ନିୟମ ଅନୁଯାୟୀ, ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ବଦଳରେ ଛାତ୍ରୀ ମାନେ ଏବେ ସେହି ଟଙ୍କା ମୋହରେ ପଡି ଯାଇଛନ୍ତି । ଟଙ୍କା ନିଅ ଭୋଟ ଦିଅ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏହିଭଳି ଚାଲିଛି ଛାତ୍ର ସଂସଦ ନିର୍ବାଚନ । ପୂରା ବଡ ବଡ ନେତାଙ୍କ ଫର୍ମୁଲା ଆପଣାଇଛନ୍ତି ଛାତ୍ର ନେତା । ଭୋଟ ହାତେଇବା ପିସି ଫର୍ମୁଲାକୁ ଆପଣାର କରି ନେଇଛନ୍ତି ଛାତ୍ରୀ । ପ୍ରତି ଭୋଟ ପାଇଁ ୫ ଶହ ଟଙ୍କାର ପିସି ।

ramadevi universityକେବଳ ଏତିକି ନୁହେଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କିପରି ଟଙ୍କା ବଳରେ ନିର୍ବାଚନ ଲଢାଯାଉଛି ତାହାର ଝଲକ ପୁର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ତାରିଖ ଘୋଷଣାରୁ ଆରମ୍ଭ କରି ଆଜି ପଯ୍ୟନ୍ତ ପ୍ରତିଦିନ ଭୋଜି ଭାତର ଆସର ଦେଖିବାକୁ ମିଳିଥିଲା କ୍ୟାମ୍ପସ ପରିସରରେ । ନିବାର୍ଚନ ବିଗୁଲ ବାଜିବା ପରଠାରୁ ବିଭିନ୍ନ ରାଜନୈତିକ ଦଳର ଛାତ୍ର ନେତା ରମାଦେବୀ ବିଶ୍ୱବିଦ୍ୟାଳୟରେ ଡେରା ପକାଇଥିଲେ । ଭୋଟରଙ୍କ ଫରମାଇସରେ ଟିକିଏ ବି ଯେପରି ଉଣା ନ ହୁଏ ସେଥିପାଇଁ ପ୍ରାର୍ଥୀଙ୍କୁ କଡା ନିର୍ଦ୍ଦେଶ ଥିଲା । ସେଥିପାଇଁ ୯ ଦିନ ଭିତରେ ଯିଏ ଯାହା ମାଗିଲା ତାକୁ ମିଳିଲା । ସେ ସୁସ୍ୱାଦୁ ଖାଇବା ହେଉ ଆଇସକ୍ରୀମ ଓ ଚକୋଲେଟ ।

ramadevi penକେବଳ ଏତିକି ନୁହେଁ ଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ଖାଦ୍ୟର ଭଣ୍ଡାର ଖୋଲା ଯାଉଥିଲା । ମଟନ ବିରିୟାନୀ, ଚିକେନ ବିରାୟାନୀ, ଆଇସକ୍ରୀମ, ଗୁପଚୁପ, ଯିଏ ଯାହା ପାଇଲା ଖାଇଲା । ବଡ ବଡ ହୋଟେଲ ଭଳି ନାନାଦି ଆଇଟମ ରହୁଥିଲା ଏହି ଖାଦ୍ୟ ଷ୍ଟଲରେ । ଆଉ ଛାତ୍ରୀ ମାନେ ମଧ୍ୟ ବେଶ ଆନନ୍ଦରେ ଖାଇବାର ମଜା ଉଠାଉଥିଲେ । କାରଣ ଏଭଳି ସୁଯୋଗ ପୁଣି ଗୋଟିଏ ବର୍ଷ ପରେ ଆସିବ । କେବଳ ଖାଇବା ନୁହେଁ ଛାତ୍ରୀଙ୍କ ହାଇ ବଜେଟ କ୍ୟାମ୍ପେନିଂ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ନିଜ ଫଟୋ ଥିବା ବଡ ବଡ ପୋଷ୍ଟର ଯାହାର ମୂଲ୍ୟ ହଜାରେ ଟଙ୍କାରୁ ମଧ୍ୟ କମ ନୁହେଁ ତାହା କ୍ୟାମ୍ପସ ପାଶ୍ୱର୍ବତ୍ତୀ ଅଞ୍ଚଳରେ ଛାଇ ହୋଇ ଯାଇଥିଲା । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି ।

rajadhani clgକେବଳ ରମାଦେବୀ ନୁହେଁ ରାଜଧାନୀର ଅନ୍ୟ କଲେଜରେ ମଧ୍ୟ ଦେଖିବାକୁ ମିଳିଛି ହାଇ ବଜେଟ କ୍ୟାମ୍ପେନିଂର ଝଲକ । ରାଜଧାନୀର ପ୍ରମୁଖ କଲେଜ ରାଜଧାନୀ କଲେଜରେ ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ କରିଥିଲେ ଶେଷ ପ୍ରୟାସ । ପ୍ରାର୍ଥୀଙ୍କ ହାତରେ ରହିଥିଲା ଚକୋଲେଟ ବକ୍ସ । ଆଉ ଭୋଟ ଦେବାକୁ ଯେଉଁ ଛାତ୍ରଛାତ୍ରୀ ଭିତରକୁ ଯାଉଥିଲେ ତାଙ୍କ ହାତରେ ଦିଆ ଯାଉଥିଲା ଚକୋଲେଟ ଓ କଲମ । ନିଜ ସମର୍ଥନରେ ଭୋଟ ଦେବାକୁ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଆଦୌ ହେଳା କରୁନଥିଲେ ପ୍ରାର୍ଥୀ । କାଳେ ଶେଷ ମୁହୁର୍ତ୍ତରେ ଭୋଟରଙ୍କ ମନ ପରିବର୍ତ୍ତନ ହୋଇଯିବ ।

kendraparaଏ ତ ଥିଲା ରାଜଧାନୀର ଚିତ୍ର କିନ୍ତୁ ଯଦି କେନ୍ଦ୍ରାପଡା ଉପରେ ନଜର ପକାଇବା ତେବେ ଭିନ୍ନ ଏକ ଦୃଶ୍ୟ ଆପଣ ଦେଖିବାକୁ ପାଇବେ । କଲେଜ ଭୋଟ ଜିତିବାକୁ ଶେଷ କୌଶଳ ଆପଣାଇଥିଲେ ଛାତ୍ର ନେତା । ଏକ ନୂଆ ଫଣ୍ଡା ଓ ନୂଆ କୌଶଳ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ପ୍ରାର୍ଥୀ । ଭୋଟ ଦେବା ପୂର୍ବରୁ ପ୍ରାର୍ଥୀଙ୍କ କାନ୍ଦର ସ୍ୱର ଶୁଣିଥିଲେ ଛାତ୍ରଛାତ୍ରୀ । ନା ଥିଲା ମାଇକ ନା ଥିଲା ଖାଦ୍ୟର ପସରା । କ୍ୟାମ୍ପସ ପରିସରରେ ଖାଲି ଶୁଭୁଥିଲା ପ୍ରାର୍ଥୀଙ୍କ କାନ୍ଦ । କଲେଜ ଗେଟ ଆଗରେ ଆଣ୍ଠେଇ କାନ୍ଦି କାନ୍ଦି ଭୋଟ ପାଇଁ କାକୁତି ମିନତୀ କଲେ ପ୍ରାର୍ଥୀ । କେନ୍ଦ୍ରାପଡା ଚାନ୍ଦୋଳ ସ୍ଥିତ ହୃଦାନନ୍ଦ ସ୍କାରକୀ ମହାବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ଭୋଟ ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ କାନ୍ଦି କାନ୍ଦି ଭୋଟ ଭିକ୍ଷା କରିଥିଲେ ପ୍ରାର୍ଥୀ । ନିଜ କାନ୍ଦରେ ଛାତ୍ରଛାତ୍ରୀଙ୍କୁ ଭାବୁକ କରି ଭୋଟ ହାତେଇବା ଲକ୍ଷ୍ୟରେ ଥିଲେ ପ୍ରାର୍ଥୀ ।