ସ୍ୱାଧୀନତା ଦିବସରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ବଡଧରଣର ଆକ୍ରମଣ ଯୋଜନା କରିଛି ଜୈଶ-ଏ-ମହମ୍ମଦ

72

କନକ ବ୍ୟୁରୋ : ଆସନ୍ତାକାଲିର ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଏହି ସମୟରେ ଆତଙ୍କୀ ହମଲାର ଆଲର୍ଟ ଜାରି କରାଯାଇଛି । ଖବର ଅନୁସାରେ, ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଦିଲ୍ଲୀରେ ଆକ୍ରମଣ ଯୋଜନା କରିପାରନ୍ତି । କାଶ୍ମୀର ରାସ୍ତା ଦେଇ ଜୈଶ-ଏ-ମହମ୍ମଦ ୪ ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପଠାଇଛି । ଏହି ଆତଙ୍କବାଦୀମାନେ ଦିଲ୍ଲୀରେ ପ୍ରବେଶ କରିସାରିଛନ୍ତି ଓ ଅଲଗା ଅଲଗା ସ୍ଥାନରେ ଆକ୍ରମଣ କରିପାରନ୍ତି । କୁହାଯାଉଛି, ଏହି ଯୋଜନା ପଛରେ ଜୈଶ କମାଣ୍ଡର ଇବ୍ରାହିମ ପଞ୍ଜାବୀର ହାତ ରହିଛି । ଏହା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଦିଲ୍ଲୀର ସଡକରେ ବ୍ୟାରିକେଡ ଲଗାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି । ଲାଲକିଲ୍ଲା, ପାର୍ଲାମଂଟ ଭବନ, ନର୍ଥ ଓ ସାଉଥ ବ୍ଲକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି  ।

ତେବେ, ସବୁ ବର୍ଷ ଆତଙ୍କବାଦୀମାନେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଘଟାଇବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ପରିପ୍ରେକ୍ଷୀରେ ସେସବୁକୁ ଚୂଡ଼ାନ୍ତ ରୂପ ଦେବାରେ ବିଫଳ ହେଉଛନ୍ତି । ତେଣୁ, ପୂର୍ବର ବିଫଳତାକୁ ଦୃଷ୍ଟିରେ ରଖି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ ଓ ଲସ୍କର-ଇ- ତଇବା  ଏଥରକ ରାଜଧାନୀ ନୂଆଦିଲ୍ଲୀକୁ ଗୌଣ କରିଦେଇ ସ୍ୱାଧୀନତା ଦିବସ ପାଳନ ଅବସରରେ ସୀମାନ୍ତ ଜମ୍ମୁ- କଶ୍ମୀରରେ ଥିବା ସେନା କ୍ୟାମ୍ପଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣକରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି ।