ମୃତ୍ୟୁର ଖେଳ ପାଇଁ ହାଇ ଆଲର୍ଟ ! ସୋସିଆଲ ମିଡିଆରୁ ଲିଙ୍କକୁ ହଟାଇବାକୁ ପୁଲିସ ଡିଜିଙ୍କ ନିର୍ଦ୍ଦେଶ

38

କନକ ବ୍ୟୁରୋ : ମୃତ୍ୟୁର ଖେଳ ବ୍ଲ୍ୟୁ ହ୍ୱେଲକୁ ନେଇ ଜାରୀ ହେଲା କଟକଣା । ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପୁଲିସ ଡିଜି ଚିଠି ଲେଖିଛନ୍ତି । ଡିଆଇଜି, ଆଇଜି, ସମସ୍ତ ଜିଲ୍ଲାର ଏସପି ଓ ଟୁଇନ ସିଟିର କମିଶନରଙ୍କୁ ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି ।

ବେଶ କିଛି ଦିନ ଧରି ଆତଙ୍କ ଖେଳାଇଛି ମୃତ୍ୟୁର ଖେଳ ବ୍ଲ୍ୟୁ ହ୍ୱେଲ । ଇଣ୍ଟରନେଟରେ ଖେଳାଯାଉଥିବା ଏହି ଗେମର ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଥିବା ଜଣାପଡିବା ପରେ ଏନେଇ ସାରା ଦେଶରେ ଆଲର୍ଟ କରାଯାଇଥିଲା । ତେବେ ଗତକାଲି ସମ୍ବଲପୁରରେ ଜଣେ ଛାତ୍ରୀ ଏହି ବ୍ଲ୍ୟୁ ହ୍ୱେଲ ଖେଳ ପାଇଁ ସୁଇସାଇଡ କରିଥିବା ରିପୋର୍ଟ ହେବା ପରେ ଓଡିଶାରେ ଏହି ଖେଳର ଉପସ୍ଥିତି ଜଣାପଡିଥିଲା । ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ଏହି ଡେଥ ଗେମର ଲିଙ୍କ ସେୟାର ହେଉଥିବା ପୁଲିସ ଜାଣିବାକୁ ପାଇଛି ।

ଧିରେ ଧିରେ ଏହି ଖେଳ ଯୁବପିଢ଼ୀଙ୍କୁ କବଳିତ କରୁଛି । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଏହାର ପ୍ରଭାବରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି । ଯାହା ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଉଛି । କେଉଁଠୁ ଏହି ଗେମର ଲିଙ୍କ ଆସୁଛି ତାହା ବର୍ତ୍ତମାନ ଯାଏ ବି ସ୍ପଷ୍ଟ ହୋଇନି । ସେପଟେ ସୋସିଆଲ ମିଡିଆରେ ଲିଙ୍କ ସେୟାର ହେଉଥିବାରୁ ପ୍ରଥମେ ସୋସିଆଲ ମିଡିଆରୁ ଏହି ଗେମର ଲିଙ୍କକୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଯଦି ଅନ୍ୟ କୌଣସି ମୃତ୍ୟୁକୁ ନିମନ୍ତ୍ରଣ କରୁଥିବା ଖେଳର ଲିଙ୍କ ମିଳେ ତାହାକୁ ମଧ୍ୟ ହଟାଇବାକୁ ପଦକ୍ଷେପ ନେବା ପାଇଁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।