ଚିଦାମ୍ବରମଙ୍କୁ ଡବଲ ଝଟକା: ପୂର୍ବତନ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଇଡି; ସୁପ୍ରିମକୋର୍ଟରୁ ମିଳିଲାନି ତତ୍କାଳ ଆଶ୍ୱସ୍ତି

ତତ୍କାଳ ଶୁଣାଣି କରିବାକୁ ମନାକଲେ ଜଷ୍ଟିସ୍ ରମନ୍ନା

208

କନକ ବ୍ୟୁରୋ: ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍ । ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଚିଦାମ୍ବରମଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଚିଦାମ୍ବରମଙ୍କ ବିରୋଧରେ ଆଇଏନଏକ୍ସ ମିଡ଼ିଆକୁ ଫରେନ ଇନଭେଷ୍ଟମେଂଟ ପ୍ରୋମୋସନ ବୋର୍ଡ଼ରେ ଅବୈଧ ରୂପେ ସ୍ୱୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଂଚ ନେଇଥିବା ଅଭିଯୋଗ ରହିଛି । ଏହି ନୋଟିସ ଜାରି ହେବା ପରେ ଚିଦାମ୍ବରମ ଦେଶ ବାହାରକୁ ଯାଇପାରିବେ ନାହିଁ । ଏପରିକି ଏହି ନୋଟିସ୍ ବଳରେ ପଳାୟନ କରିଥିବା ଅଭିଯୁକ୍ତଙ୍କୁ ଖୋଜିବା ସହ ଗିରଫ ମଧ୍ୟ କରାଯାଇପାରିବ ।

ସେପଟେ, ଆଗୁଆ ଜାମିନ ଦେବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଦାମ୍ବରମ । ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ ନକରିବାକୁ ମଧ୍ୟ ଆବେଦନ କରିଛନ୍ତି ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ । ଏହି ମାମଲା ଏକ ଗମ୍ଭୀର ମାମଲା ହୋଇଥିବାରୁ ତତ୍କାଳ ଶୁଣାଣି କରିବାକୁ ଖଣ୍ଡପୀଠକୁ କହିଛନ୍ତି ଶିବଲ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ଏହି ଆବେଦନ ଉପରେ ଶୁଣାଣି କରୁଛନ୍ତିି । ତେବେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ତୁରନ୍ତ ଶୁଣାଣି ହେବ ନା ନାହିଁ ସେ ନେଇ ଅପରାହ୍ନରେ ନିଷ୍ପତି ନେବେ ବୋଲି ଜଣାପଡିଛି ।

ହାଇକୋର୍ଟରୁ ଝଟକା ଲାଗିବା ପରେ ଏବେ ଚିଦାମ୍ବରମଙ୍କ ଓକିଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଚିଦାମ୍ବରମଙ୍କ ବିରୋଧରେ ଆଇଏନଏକ୍ସ ମିଡ଼ିଆକୁ ଫରେନ ଇନଭେଷ୍ଟମେଂଟ ପ୍ରୋମୋସନ ବୋର୍ଡ଼ରେ ଅବୈଧ ରୂପେ ସ୍ୱୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଂଚ ନେଇଥିବା ଅଭିଯୋଗ ରହିଛି । ଏହି ମାମଲରେ ଏ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ କୋର୍ଟରୁ ପ୍ରାୟ ୨୪ ଥର ଗିରଫଦାରୀରୁ ଅନ୍ତରୀଣ ଆଶ୍ୱସ୍ତି ମିଳି ସାରିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା ।

ଉଲ୍ଲେଖ ଥାଉ କି, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ମୁଣ୍ଡ ଉପରେ ଝୁଲୁଛି ଗିରଫଦାରୀର ଖଣ୍ଡା । ଲଟକା ଲଗାଇବା ପରେ ବି ଗାଏବ ଅଛନ୍ତି ଚିଦାମ୍ବରମ । ଗତକାଲି ରାତି ଅଧରେ ୨ ଘଂଟା ମଧ୍ୟରେ ହାଜର ହେବାକୁ ଚିଦାମ୍ୱରମଙ୍କ ଘରେ ନୋଟିସ୍ ଲଟକାଇଲା ସିବିଆଇ । ହେଲେ ନୋଟିସ୍ ମାରିବା ପରେ ବି ଏପର୍ଯ୍ୟନ୍ତ ଏହି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଦେଖା ମିଳି ନାହିଁ । ତେଣୁ ଆଜି ସକାଳୁ ସକାଳୁ ସିବିଆଇର ଏକ ଟିମ୍ ପୁଣି ଚିଦାମ୍ବରମଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଚଢ଼ଉ କରିଛନ୍ତି । ତାଙ୍କୁ ଧରିବା ପାଇଁ ଜଗି ରହିଛନ୍ତି ଏହି ଟିମ୍ । ତେବେ ଚିଦାମ୍ବରମଙ୍କ ଟେର୍ ପାଇନାହାଁନ୍ତି ସିବିଆଇର ଏହି ଟିମ୍ । ଆଇଏନଏକ୍ସ ମିଡ଼ିଆ ମାମଲାରେ ଅଭିଯୁକ୍ତ ଅଛନ୍ତି ଚିଦାମ୍ବରମ ।

ସିବିଆଇ ଟିମ୍ ଚିଦାମ୍ବରମଙ୍କ ଘରେ ପହଂଚି ଯାଂଚ କରିିବା ବେଳେ ସେ ଅନୁପସ୍ଥିତ ଥିଲେ । ସେହିପରି ଇଡି ମଧ୍ୟ ଖୋଳତାଡ କରିବା ବେଳେ ସେ ଘରୁ କେଉଁଆଡେ ଚାଲିଯାଇଛନ୍ତି । ତାଙ୍କର ମୋବାଇଲ୍ ମଧ୍ୟ ଅଫ୍ ରହିଛି । ଗତବର୍ଷ ତାଙ୍କ ପୁଅ କାର୍ତି ଚିଦାମ୍ବରମ୍ଙ୍କୁ ଗିରଫ କରାଯାଇଥିଲା । ସେ ଏବେ ଜାମିନରେ ବାହରେ ଅଛନ୍ତି । ଅନ୍ୟପଟେ ଆଇଏନଏକ୍ସ ମିଡ଼ିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଇଡ଼ି ଓ ସିବିଆଇ ଶୀଘ୍ର ଚିଦାମ୍ବରମଙ୍କୁ ଗିରଫ କରିବାକୁ ଚାହୁଁଛି ।