ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ପରେ ଏଲଓସିରେ ପ୍ରବଳ ଗୁଳିବର୍ଷା । ସୀମାରେ ଥିବା ଗାଁ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ପରେ ଏଲଓସିରେ ପ୍ରବଳ ଗୁଳିବର୍ଷା

277

କନକ ବ୍ୟୁରୋ : ପାକିସ୍ତାନରେ ପଶି ଭାରତୀୟ ବାୟୁସେନା ଜୈସ୍ ଆତଙ୍କବାଦୀଙ୍କ ଶିବିର ଛାରଖାର କରିବା ପରେ ନିୟନ୍ତ୍ରଣ ରେଖା ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ମଧ୍ୟାହ୍ନରୁ ପାକିସ୍ତାନ ପଟୁ ପ୍ରବଳ ଗୁଳିଗୋଳା ବର୍ଷା ଆରମ୍ଭ ହେବା ପରେ ଭାରତ ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ କଡ଼ା ଜବାବ ଦେଉଛି। ସୀମା ସ୍ଥିତି ଜଟିଳ ହେଉଥିବାରୁ ସୀମାବର୍ତ୍ତୀ ପ୍ରାୟ ୨୦୦ ଗ୍ରାମର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାକିସ୍ତାନ ସୀମାବର୍ତ୍ତୀ ୪୩ଟି ଗ୍ରାମ ଏବଂ ୫୫ଟି ଆଗୁଆ ପୋଷ୍ଟକୁ ଟାର୍ଗେଟ୍ କରି ଗୁଳି ବର୍ଷା କରିଥିଲା।

https://aajtak.intoday.in

ପାକ୍ ଗୁଳିରେ ଭାରତର ୬ ଜଣ ଯବାନ ଆହତ ହୋଇଥିବା ବେଳେ ପାକିସ୍ତାନ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜୌରି ଏବଂ ନୌସେରା ସେକ୍ଟରରେ ପାକ୍ ସେନାର ମୋର୍ଟାର ମାଡ଼ର ଜବାବ ସମାନ ଅସ୍ତ୍ରରେ ଭାରତ ଦେବା ପରେ ପାକିସ୍ତାନ ଶାନ୍ତ ପଡ଼ିଯାଇଥିଲା। ପାକିସ୍ତାନ କହିଛି ଯେ ଭାରତୀୟ ସେନାର ଗୁଳିମାଡ଼ରେ ଜଣେ ମହିଳା ସମେତ ୩ ଜଣ ପାକ୍ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ତେବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ସୀମାରେ ସର୍ବାଧିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ନାଗରିକଙ୍କ ନିରାପତ୍ତା ପାଇଁ ସୁଚିନ୍ତିତ ରଣନୀତି ଅନୁସାରେ କାମ ଚାଲିଛି ବୋଲି ସେ କହିଛନ୍ତି।