ଦୂରରେ ରହି ବି ଅଲଗା ନୁହଁନ୍ତି : ମୋଦିଙ୍କୁ କେହି କିଛି କହିଦେଲେ ସହି ପାରୁନାହାଁନ୍ତି ପତ୍ନୀ ଯଶୋଦାବେନ୍

35

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍ ଆଜି ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ଏକ ବୟାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୁଜରାଟର ଏକ ପ୍ରମୁଖ ଦୈନିକ ଖବରକାଗଜରେ ମୋଦି ଅବିବାହିତ ବୋଲି ଆନନ୍ଦୀବେନଙ୍କର ଏକ ମନ୍ତବ୍ୟକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଯଶୋଦାବେନ୍। ଏନେଇ ସେ ଏକ ଭିଡିଓ ମାଧ୍ୟମରେ ଆନନ୍ଦୀବେନଙ୍କ ବୟାନକୁ ଖଣ୍ଡନ କରି କହିଛନ୍ତି – ମତେ ଆଶ୍ଚର୍ଯ୍ୟ ଲାଗୁଛି , ଆନନ୍ଦୀବେନ୍ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ବିବାହ କରିନାହାନ୍ତି ବୋଲି କିଭଳି କହିପାରୁଛନ୍ତି। ମୋଦି ବାସ୍ତବରେ ମତେ ବିବାହ କରିଛନ୍ତି। ସେ ମୋ ପାଇଁ ପ୍ରଭୁ ଶ୍ରୀରାମ। ୨୦୦୪ରେ ଲୋକସଭା ନିର୍ବାଚନ ପାଇଁ ସେ ନାମାଙ୍କନପତ୍ର ଦାଖଲ କଲାବେଳେ ମଧ୍ୟ ମୋ ନାମ ହିଁ ତାଙ୍କ ପତ୍ନୀ ଭାବେ ଉଲ୍ଲେଖ କରିଥିଲେ। ଆନନ୍ଦୀବେନ୍ ଜଣେ ଉଚ୍ଚଶିକ୍ଷିତ ମହିଳା ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇ ଏଭଳି ବୟାନ ରଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଯଶୋଦାବେନ୍ କହିଛନ୍ତି।

ଏଭଳି ବେପରୁଆ ବୟାନ ଦେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ନିଷ୍ପ୍ରଭ କରିଛନ୍ତି ବୋଲି ସେ କହିଛନ୍ତି। ଯଶୋଦାବେନ୍ ତାଙ୍କ ଭାଇ ଅଶୋକ ମୋଦିଙ୍କ ଫୋନରୁ ଏକ ଭିଡିଓ ରେକର୍ଡିଂ ମାଧ୍ୟମରେ ତାଙ୍କ ଅସନ୍ତୋଷ ଜାହିର କରିଛନ୍ତି। ଅନ୍ୟପକ୍ଷରେ ଅଶୋକ ମୋଦି କହିଛନ୍ତି ଯେ ପ୍ରଥମେ ସୋସିଆଲ୍ ମିଡିଆରେ ମୋଦି ବିବାହ କରିନାହାନ୍ତି ବୋଲି ଆନନ୍ଦୀବେନଙ୍କ ବୟାନ ଆସିଥିଲା ଏବଂ ପରେ ଖବରକାଗଜରେ ଏହା ପ୍ରକାଶ ପାଇବାରୁ ଆମ ପାଇଁ ଏହା ଅଡ଼ୁଆ ସୃଷ୍ଟି କରିଥିଲା।