ଏହି ଦେଶରେ ମୂଷା ବଞ୍ଚାନ୍ତି ମଣିଷଙ୍କ ଜୀବନ : ପୋଲିସ୍ କୁ ସନ୍ଧାନୀ କୁକୁର ନୁହେଁ ସନ୍ଧାନୀ ମୂଷା କରୁଛି ସାହାଯ୍ୟ । ଦୁନିଆ କରୁଛି ମୂଷାଙ୍କୁ ସଲାମ୍ 

390

ଘରେ ବେଳେବେଳେ ମୂଷାମାନଙ୍କର ଉତ୍ପାତ ଦେଖିବାକୁ ମିଳିଥାଏ । କେତେବେଳେ ମୂଷା ପୋଷାକ କାଟିଦିଅନ୍ତି ତ କେବେ ପୁଣି ଖାଦ୍ୟ ଖାଇଦିଅନ୍ତି । ଏହା ଛଡା ମୂଷାଙ୍କ ଦ୍ୱାରା ପ୍ଲେଗ ରୋଗ ହେବାର କଥା ବି ଆପଣ ଜାଣିଥିବେ । କିନ୍ତୁ ମୂଷା ବି ମଣିଷଙ୍କର ଜୀବନ ବଞ୍ଚାନ୍ତି, ଏହି କଥା ବୋଧେ ଜାଣିନଥିବେ । ଆଜି ଆମେ ଆପଣଙ୍କୁ ମୂଷାଙ୍କ ଏମିତି କିଛି କାରନାମା ବାବଦରେ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।

କାମ୍ବୋଡ଼ିଆରେ ମୂଷାମାନେ ପୁଲିସକୁ ଲ୍ୟାଣ୍ଡମାଇନ ଖୋଜିବାରେ ସାହାଯ୍ୟ କରୁଛନ୍ତି। ମାଟିତଳେ ଥିବା ବାରୂଦ ଗଦାକୁ ଖୋଜିବାରେ ଏହି ମୂଷାମାନଙ୍କର ସାହାଯ୍ୟ ନିଆଯାଉଛି । କାମ୍ବୋଡିଆର ମାଟି ତଳେ ବହୁ ବର୍ଷ ଆଗରୁ ଲ୍ୟାଣ୍ଡମାଇନ ଥିଲା  । ସମୟେ ସମୟେ ଏଗୁଡିକ ବିସ୍ଫୋରଣ ହେଉଥିଲା । ଯାହାଫଳରେ ବହୁ ଲୋକଙ୍କର ଜୀବନ ମଧ୍ୟ ଯାଉଥିଲା । ଏହା ପରେ କିଛି ମୂଷାଙ୍କୁ ଲ୍ୟାଣ୍ଡମାଇନ ଖୋଜିବାର ତାଲିମ ଦିଆଯାଇଥିଲା  । ଏହା ପରେ ଯେଉଁ ସ୍ଥାନରେ ଲ୍ୟାଣ୍ଡମାଇନ ଥିବାର ସନ୍ଦେହ କରାଯାଉଥିଲା, ସେଠାରେ ଏହି ମୂଷାମାନଙ୍କୁ ଛଡାଯାଉଥିଲା ।

ମୂଷାମାନେ ଲ୍ୟାଣ୍ଡମାଇନ ଥିବାର ସଙ୍କେତ ଦେବା ପରେ ଏହାକୁ ନଷ୍ଟ କରାଯାଇଥିଲା । ୧୯୯୭ ମସିହାରୁ ଏଯାଏଁ ଏଭଳି ଢଙ୍ଗରେ ଲ୍ୟାଣ୍ଡମାଇନ ସବୁକୁ ନଷ୍ଟ କରାଯାଉଛି । ମୂଷାମାନେ ଏ ଯାଏଁ ୧.୩୮ ଲକ୍ଷଟି ବାରୂଦ ସୁଡ଼ଙ୍ଗକୁ ଖୋଜିଥିବାବେଳେ ଲକ୍ଷାଧିକ ଲୋକଙ୍କ ଜୀବନ ବଂଚାଇଲେଣି । କାମ୍ବୋଡ଼ିଆର ଆଣ୍ଟି ପର୍ସନାଲ ଲ୍ୟାଣ୍ଡମାଇନ୍ସ ଡିଟେକ୍ସନ ପ୍ରଡକ୍ଟ ଡେଭଲପମେଣ୍ଟ ନାମକ ସଂଗଠନ ମୂଷାଙ୍କୁ ତାଲିମ ଦେବା ସହ ଲ୍ୟାଣ୍ଡମାଇନକୁ ଠାବ କରିଥାଏ । ଏହି ସଂଗଠନ କାମ୍ବୋଡ଼ିଆ ଛଡା କଲମ୍ବିଆ, ଜିମ୍ବାୱେରେ ମଧ୍ୟ ମୂଷାଙ୍କୁ ଲ୍ୟାଣ୍ଡମାଇନ ଖୋଜିବାରେ ନିୟୋଜିତ କରିଥାଏ ।

ଆଣ୍ଟି ପର୍ସନାଲ ଲ୍ୟାଣ୍ଡମାଇନ୍ସ ଡିଟେକ୍ସନ ପ୍ରଡକ୍ଟ ଡେଭଲପମେଣ୍ଟର ରିପୋର୍ଟ ମୁତାବକ ଏବେ ସେମାନଙ୍କ ପାଖାରେ ସମୁଦାୟ ୧୫୧ ଟି ମୂଷା ଅଛନ୍ତି  । ଏମାନଙ୍କ ମଧ୍ୟରୁ ୨୬ଟି ମୂଷା କେବଳ ପ୍ରଜନନ କାମ କରୁଥିବାବେଳେ ୫୩ ଟି ମୂଷା ବାରୂଦ ସୁଡ଼ଙ୍ଗ ଖୋଜୁଥିବାବେଳେ ୩୯ଟି ମୂଷାଙ୍କୁ ଗବେଷଣା ପାଇଁ ଉପଯୋଗ କରାଯାଏ । ୧୦ଟି ମୂଷାକୁ ଏବେ ଅବସର ଦିଆଯାଇଛି ।