ବାପା ହେବତ ଏମିତି : ପୁଅର ହତ୍ୟାକାରୀକୁ ଧରିବାକୁ ଜଣେ ବାପାଙ୍କ ସଂଘର୍ଷର କାହାଣୀ

69

ଯାଜପୁର : ସମୟ ହୁଏତ ଭୂଲାଇ ଦେଇଥାନ୍ତା ପୁଅର ମୃତ୍ୟୁ କଥା । ଆଇନକାନୁନକୁ ସମ୍ମାନ ଦେଇ ସେ ହୁଏତ ଚୁପ୍ ରହିଯାଇ ପାରିଥାନ୍ତେ । ହେଲେ ବାପମନ , କଣ ଏତେ ସହଜରେ ଭୂଲି ପାରିବ ଭେଣ୍ଡିଆ ପୁଅର ମୃତ୍ୟୁକୁ । ଯାଜପୁର ଜିଲ୍ଲା ସିଂହପୁରର ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ଥାଟୋଇ । ୨୦୧୧ ମସିହାରେ ସାମାନ୍ୟ କଳହକୁ କେନ୍ଦ୍ର କରି ଅଭିମନ୍ୟୁ ପାଲଟି ଯାଇଥିଲେ କୃଷ୍ଣଚନ୍ଦ୍ରଙ୍କ ପୁଅ ବାପୁଜୀ । ପୁଅର ହତ୍ୟାକାରୀକୁ ଗିରଫ କଲା ପୁଲିସ୍ । ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । କିଛି ମାସ ଖୋଜିବା ପରେ ପୁଲିସ୍ ଚୁପ୍ ହୋଇଗଲା । ହେଲେ ବୃଦ୍ଧ ବାପା କିନ୍ତୁ ମୃତ ପୁଅକୁ ନ୍ୟାୟ ଦେବାକୁ କରିଥିଲେ ସଂଘର୍ଷ । ସହରରୁ ସହର ବୁଲି ଖୋଜି ଚାଲିଥିଲେ ଦୀର୍ଘ ୫ ବର୍ଷ ଧରି । ଶେଷରେ ବ୍ରହ୍ମପୁରରେ ମୁଖ୍ୟ ଅଭିଯୁକ୍ତ ସଂଜିତ୍ ଥିବା ଜାଣିବା ପରେ ପୁଲିସକୁ ଦେଇଥିଲେ ଖବର ।

ଆଠ ଜଣ ଯୁବକ ମିଶି ବାପୁଜୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିଲେ । ଆଉ ଏ ହତ୍ୟାକାଣ୍ଡ ପରେ ଗାଁରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ବି ହୋଇଥିଲା । ପୁଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ଫେରାର୍ ହୋଇଯାଇଥିଲେ ମୁଖ୍ୟ ଅଭିଯୁକ୍ତ ସଂଜିତ୍ ଓ ତାଙ୍କ ଭାଇ ରଂଜିତ୍ ।
ବାପୁଜୀ ହତ୍ୟାକାଣ୍ଡରେ ସଂପୃକ୍ତ ୬ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇ ସାରିଛନ୍ତି କୋର୍ଟ । ସଂଜିତର ଗିରଫଦାରୀ ପରେ ରଂଜିତକୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି । ତେବେ ପୁଅର ହତ୍ୟାକାରୀକୁ ଧରିବାକୁ ବୃଦ୍ଧ ବାପାଙ୍କ ଏ ସଂଘର୍ଷର କାହାଣୀ ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।