ଝାଡଖଣ୍ଡରୁ ଆସି ଓଡିଶା ସୀମାରେ ପଂହଚିଲେ ହାତୀପଲ ! ଆଗରେ ଦନ୍ତା ପଛରେ ଶତାଧିର ଗଜରାଜ

39

କନକ ବ୍ୟୁରୋ : ଝାଡଖଣ୍ଡରୁ ଆସି ଓଡିଶା ସୀମାରେ ପଶିଲେ ହାତୀପଲ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଜଙ୍ଗଲ ଦେଇ ନୀଳଗିରିରେ ପ୍ରବେଶ କରିଛନ୍ତି ଏକ ବଡ ହାତୀପଲ । ବିଳମ୍ବିତ ରାତିରେ ପଡୋଶୀ ଝାଡଖଣ୍ଡରୁ ଏହି ହାତୀ ଦଳ ଆସିଛନ୍ତି । ଝାଡଖଣ୍ଡର ଦଲମା ଅଭୟାରଣ୍ୟରୁ ବାହାରିଥିବା ଏହି ହାତୀପଲ ବେତନଟୀ ରେଞ୍ଜ ଅଶନବଣିରୁ ବାହାରି ନୀଳଗିରି ସୀମା ରାଧାକିଶୋରପୁର ପଂଚାୟତର କୋଲାଟ ବରମପୁର ଦେଇ ପ୍ରବେଶ କରିଛନ୍ତି ।

ଆଗରେ ଦନ୍ତା ହାତୀ ଚାଲିଥିବା ବେଳେ ପଛରେ ମାଈ ହାତୀ ଓ ଛୁଆଙ୍କ ଦଳ ଚାଲୁଥିବା ଦେଖାଯାଇଛି । ରାଧାକିଶୋରପୁର, କାଂଶ, ଭୁଆପାଳ, କାଠପାଳ, ମହିଷାପଟା ଦେଇ ବର୍ତମାନ ନୀଳଗିରି ରେଞ୍ଜ ଅଧିନସ୍ଥ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଅଛନ୍ତି । ଏହି ହାତୀପଲରେ ଶତାଧିକ ହାତୀ ଥିବା ଜଣାପଡିଛି । ସାଧାରଣ ଲୋକଙ୍କ ଧନଜୀବନ ଆଶଙ୍କା ଥିବାରୁ ହାତୀପଲଙ୍କ ଉପରେ କଡା ନଜର ରଖିବାକୁ ଡିଏଫଓ  ନିର୍ଦ୍ଦେଶ ଦେଇଛନ୍ତି ।

ଏସିଏଫଙ୍କ ସହ ନୀଳଗିରି ରେଞ୍ଜର ଓ କୁଲଡିହା ରେଞ୍ଜରଙ୍କ ନେତୃତ୍ୱରେ ଶତାଧିକ ବନ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ହାତୀପଲ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।