ଆରମ୍ଭ ହେଲା ରାଜ୍ୟସ୍ତରୀୟ ହର୍ବାଲ ମେଳା !

87

କନକ ବ୍ୟୁରୋ : ଆୟୁର୍ବେଦିକ ଔଷଧ ଏବଂ ଔଷଧୀୟ ବୃକ୍ଷର ଭରପୂର ସମ୍ଭାରକୁ ନେଇ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍‌ ମେଳା । ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏହି ୧୧ତମ ମେଳାରେ ୧୨୦ଟି ଷ୍ଟଲ୍‌ ଖୋଲିଛି । ଏଥିରେ ରାଜ୍ୟ ସମେତ ରାଜ୍ୟ ବାହାରର ୧୨ଟି ଷ୍ଟଲ୍‌ରେ ଅଭିଜ୍ଞ ବୈଦ୍ୟ, କବିରାଜ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି ଏବଂ ରାଜ୍ୟ ବାହାରୁ ନାମିଦାମୀ ଆୟୁର୍ବେଦ ଔଷଧ ପ୍ରସ୍ତୁତକାରୀ କମ୍ପାନି ଅଂଶଗ୍ରହଣ କରିଛନ୍ତି ।

ଆଜି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମେଳାକୁ ଉଦ୍‌ଘାଟନ କରି କହିଲେ, ଜନସାଧାରଣଙ୍କୁ ଆୟୁର୍ବେଦିକ ଔଷଧ ସହ ଅଭ୍ୟସ୍ତ କରାଇବା ଓ ଯୋଡ଼ିବା ଏହି ମେଳାର ଆଭିମୁଖ୍ୟ । ମେଳା ପ୍ରତିବର୍ଷ ଆଶାତୀତ ସଫଳତା ହାସଲ କରୁଥିବା ବେଳେ ପ୍ରତିବର୍ଷ ଏଠାକୁ ଲୋକଙ୍କ ଆଗମନ ହାର ବଢ଼ିବାରେ ଲାଗିଛି ବୋଲି ସେ କହିଥିଲେ । ତେଣୁ ଆସନ୍ତା ବର୍ଷ ମାର୍ଚ ମାସ ମଧ୍ୟରେ ବୌଦ୍ଧ, ପାରଳାଖେମୁଣ୍ଡି, ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ଓ ଭଦ୍ରକଠାରେ ଆଞ୍ଚଳିକ ସ୍ତରରେ ହର୍ବାଲ ମେଳା ଆୟୋଜନ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।

ଏହି ମେଳାରେ ସର୍ବସାଧାରଣଙ୍କ ନିମନ୍ତେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା, ବୟସ୍କ ନାଗରିକଙ୍କ ଦୁରାରୋଗ୍ୟ ବ୍ୟାଧି, ମଧୁମେହ, ସ୍ତ୍ରୀ ରୋଗ, ଉଚ୍ଚ ରକ୍ତଚାପ ଓ ଚର୍ମରୋଗ ଆଦି ଉପରେ ଆଲୋଚନାଚକ୍ର, ବୈଦ୍ୟ ସମ୍ମିଳନୀ, କର୍ମଶାଳା, ୟୁନାନି ଏବଂ ହୋମିଓପାଥି ଡାକ୍ତରମାନଙ୍କର ସମ୍ମିଳନୀ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ପ୍ରଥମଥର ପାଇଁ ଏହି ମେଳା ମଧ୍ୟରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଏହି ଅବସରରେ କେତେକ ଔଷଧୀୟ ଉଦ୍ଦିଦ ଚାଷୀ ଉତ୍ସାହୀ ଜନସାଧାରଣଙ୍କୁ ଔଷଧୀୟ ଉଦ୍ଦିଦ ତଥା ଚାରା ପ୍ରସ୍ତୁତି ଓ ଚାଷ ସମ୍ବନ୍ଧରେ ଅବଗତ କରାଇବେ ବୋଲି ରାଜ୍ୟ ଔଷଧୀୟ ଉଦ୍ଦିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ର କହିଛନ୍ତି । ମେଳା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଉତ୍ସାହୀ ବ୍ୟକ୍ତିବିଶେଷ ଦିନ ୧୨ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ମେଳା ପରିଦର୍ଶନ କରିପାରିବେ ।