ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ଏକାଠି ହେଲେ ବିରୋଧୀ, ଗୋଟିଏ ମଂଚରେ ମୋଦୀ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ।

277

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ । ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଯେତିକି ଉତ୍ସାହ ସୋରେନଙ୍କ ଶପଥକୁ ନେଇ ଥିଲା, ତାଠାରୁ ଅଧିକ ଉତ୍ସାହ ଥିଲା ମୋଦି ବିରୋଧି ଶକ୍ତି ପ୍ରଦର୍ଶନକୁ ନେଇ । ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ମମତା ବାନାର୍ଜିଙ୍କ ପର୍ଯ୍ୟନ୍ତ ତୁଙ୍ଗ ବିରୋଧୀ ଏହି ଅବସରରେ ଏକାଠି ହୋଇ ଏକତାର ବାର୍ତା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ମଧ୍ୟ ପୁଅର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଐତିହାସିକ ଦୃଶ୍ୟକୁ ଦେଖିଥିଲେ ।

ଝାଡଖଣ୍ଡର ଭାର ସମ୍ଭାଳିଲେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ । ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ । ହେମନ୍ତଙ୍କ ସହିତ କଂଗ୍ରେସ ବିଧାୟକ ଆଲମଗିରି ଆଲମ, ରାମେଶ୍ୱର ଉରାଓ ଏବଂ ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକ୍ତା ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଥିଲେ ।

ଶପଥ ନେଲେ ସୋରେନ । ଏକାଠି ହେଲେ ବିରୋଧି । ଏହି ଶପଥ ଗ୍ରହଣ ଉତ୍ସବ ସାରା ଭାରତ ବର୍ଷକୁ ମୋଦି ସରକାର ବିରୋଧରେ ବିରୋଧିଙ୍କ ଏକତାର ବାର୍ତା ଦେଇଛି । ମଂଚ ଉପରେ ଉପସ୍ଥିତ ରହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଭୁପେଶ ବାଗଲେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସିପିଆଇ ନେତା ସୀତାରାମ ୟେଚୁରୀଙ୍କ ଠାରୁ ଆରମ୍ଭ କରି ଡି ରାଜାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଶାନ୍ତି ଓ ପ୍ରଗତି କ୍ଷେତ୍ରରେ ଏହି ନୂଆ ମେଂଟ ସରକାର କାମ କରିବ ବୋଲି କହିଛନ୍ତି ରାହୁଲ ।

ଗୋଟିଏ ପଟେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରାଦେଶରେ ପ୍ରତିବାଦର ନିଆଁ ଜଳୁଥିବା ବେଳେ ବିରୋଧୀଙ୍କ ଏପରି ରଣସଜା ମୋଦିଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ପ୍ରଥମେ ମହାରାଷ୍ଟ୍ର ଏବଂ ଏବେ ଝାଡଖଣ୍ଡରେ ମେଂଟରେ ସରକାର ଗଠନ କରି କଂଗ୍ରେସ ମୋଦି ବିରୋଧୀଙ୍କ ମେଂଟ ସୁଦୃଢ ରହିଥିବାର ବାର୍ତା ଦେଇଛି ବୋଲି ଚର୍ଚ୍ଚା ହେଉଛି ।

ଆଜିର ଦିନକୁ ସଂକଳ୍ପ ଦିବସ ଭାବେ ଗ୍ରହଣ କରି ନୂଆ ଝାଡଖଣ୍ଡର ପରିକଳ୍ପନା ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ସଭାପତି ଶିବୁ ସୋରେନ ମଧ୍ୟ ପୁଅର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଐତିହାସିକ ମୁହୁର୍ତ୍ତକୁ ମୋହରାବାଦି ଗ୍ରାଉଣ୍ଡରେ ଦେଖୁଥିଲେ । ୮୧ ସଂଖ୍ୟା ବିଶିଷ୍ଟ ଝାଡଖଣ୍ଡରେ ଜେଏମଏମ ୪୭ ଆସନ ସହ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାରକୁ ଆସିଛି ।