ବିଜେଡିରୁ ମୋହ ଭାଙ୍ଗିଗଲା, ପୁରୁଣା ଘର କଥା ମନେପଡିଲା । ଘର ବାହୁଡିବାକୁ ବ୍ୟଗ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ !

299

କନକ ବ୍ୟୁରୋ : ଘର ବାହୁଡିବେ ପୂର୍ବତନ ସାଂସଦ ହେମା ଗମାଙ୍ଗ । ଖୁବଶୀଘ୍ର କଂଗ୍ରେସର ‘ହାତ’ ଧରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା । ଗତବର୍ଷ ଏପ୍ରିଲ ମାସରେ ବିଜେଡିରୁ ଇସ୍ତଫା ଦେଇଥିବା ହେମା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେବେ । ଏନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ହେମା ଭେଟି ସାରିଥିବା ବେଳେ ଏବେ ରାହୁଲଙ୍କୁ ଭେଟି ଆଲୋଚନା କରିବାକୁ ଅପେକ୍ଷା କରିଛନ୍ତି । ରାହୁଲଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ ହେମା ଗମାଙ୍ଗ ।

ରାଜନୀତିରେ ସବୁ ସମ୍ଭବ । ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ହେମାଙ୍କ ପାଇଁ କିଛି ନୂଆ କଥା ନୁହେଁ । ୨୦୧୪ ପୂର୍ବରୁ କଂଗ୍ରେସ ସହ ଦୀର୍ଘ ଦିନର ସର୍ମ୍ପକ ତୁଟାଇ ବିଜେଡିରେ ମିଶିଥିଲେ ହେମା । ନବୀନଙ୍କ ଉପସ୍ଥିତିରେ ହାତ ଛାଡି ଶଙ୍ଖ ଧରିଥିଲେ ହେମା । ଏପରିକି ୨୦୧୪ରେ ବିଜେଡି ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ନିର୍ବାଚନ ମଧ୍ୟ ଲଢିଥିଲେ । ବିଜେଡି ହାୱା ସତ୍ତେ୍ୱ ମଧ୍ୟ ସେହି ଆସନରେ ପରାଜୟର ମୁହଁ ଦେଖିଥିଲେ ହେମା । ଆଉ ଏହାପରେ ବିଜେଡିରୁ ହେମାଙ୍କର ମୋହଭଙ୍ଗ ହୋଇଥିଲା ।

ଗତବର୍ଷ ଏପ୍ରିଲ ମାସରେ ବିଭିନ୍ନ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିଲେ ହେମା । ଏପରିକି ସେତେବେଳେ ହେମା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଯେହେତୁ ସ୍ୱାମୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଜେପିରେ ରହିଛନ୍ତି ତେଣୁ ହେମା ପଦ୍ମ ଧରିପାରନ୍ତି ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଦୀର୍ଘଦିନର ନିରବତା ପରେ ପୁଣିଥରେ କଂଗ୍ରେସକୁ କମବ୍ୟାକ କରିବାକୁ ମନସ୍ଥିର କରିଛନ୍ତି ହେମା ।

ତେବେ ହେମାଙ୍କ କଂଗ୍ରେସରେ ସାମିଲ ହେବା ନେଇ ଖବର ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛନ୍ତି କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ହେମା କଂଗ୍ରେସକୁ ଫେରିଲେ ଦଳ ପାଇଁ ଖରାପ । ଗୋଟିଏ ମାସ ପୂର୍ବରୁ ସେ ମୋତେ ବିଜେପିରେ ସାମିଲ ହେବାକୁ ଡାକୁଥିଲେ । ଏବେ ଟିକେଟ ଆଶାରେ ଦଳକୁ ଫେରିବା ଦୁର୍ଭାଗ୍ୟଜନକ । ଏଭଳି କରିବା ଦ୍ୱାରା ଲୋକେ ତାଙ୍କୁ ଆଗାମୀ ଦିନରେ ଗ୍ରହଣ କରିବେ ନାହିଁ ।

ଏସବୁ ଭିତରେ ହେମା ରାଜ୍ୟ ନେତୃତ୍ୱ ବଦଳରେ ସିଧାସଳଖ ଦିଲ୍ଲୀ ଲିଙ୍କରେ ଦଳରେ ଯୋଗ ଦେବାକୁ ଯୋଜନା କରୁଛନ୍ତି । ତେବେ ୨୦୧୪ରେ ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା ହେମାଙ୍କୁ କଂଗ୍ରେସ ହାଇକମାଣ୍ଡ ବିଶ୍ୱାସକୁ ନେଇ ଦଳରେ ମିଶାଉଛନ୍ତି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।