ଅବହେଳିତ ଅବସ୍ଥାରେ ବୃଦ୍ଧା ! ପ୍ରଶାସନର ନିୟମ ଉପରେ ନାହିଁ ପର୍ଯ୍ୟାପ୍ତ ଜ୍ଞାନ,ଯାହାର ଫାଇଦା ଉଠାଉଛନ୍ତି ବଡବାବୁ । 

47

କନକବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ଲାଗି ଅନେକ ଯୋଜନା ଘୋଷଣା କରାଯାଉଛି । ଯେଉଁ ଯୋଜନାରେ ଗରିବ ଲୋକ ନିଜକୁ ସାମିଲ କରି ଉପକୃତ ହେଉଛନ୍ତି । ଯୋଜନା କଥା ଆମେ ଯଦି ବିଚାର କରିବା ତେବେ ଜନ୍ମଠାରୁ ମୃତ୍ୟୁ, ମୋ କୁଡିଆ ଯୋଜନା, ବିଜୁ ପକ୍କାଘର ସହ ୧ ଟଙ୍କାରେ ଖାଦ୍ୟସାମଗ୍ରୀ ମିଳୁଛି । କିନ୍ତୁ ଦୁଃଖର ବିଷୟ ଯେ, ପ୍ରକୃତରେ ଦେଖିବାକୁ ଗଲେ ପ୍ରକୃତରେ ଯୋଜନାରୁ ବହୁ ଦୁରରେ ପାତି ନାୟକ ।

ଆପଣମାନେ ବି ହଠାତ ଚକିତ ହୋଇ ପଡିବେ କି ପାତି କିଏ ? 

ଆଜ୍ଞା ହଁ, ପାତି । ସେ ହେଉଛନ୍ତି ବଣପାହାଡିଆ ଅଞ୍ଚଳ କେନ୍ଦୁଝରରେ ୧ ନଂ ୱାର୍ଡରେ ବସବାସ କରୁଥୁବା ପାତି ନାୟକ । ପରିବାର କହିଲେ ୪ ପୁଅ ଓ ୩ ଝିଅଙ୍କ ସହ ରହୁଥିଲେ ପାତି । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଅସମୟରେ ସମସ୍ତଙ୍କ ମୃତ୍ୟୁ ହୋଇଗଲା । ପାତି ପାଖଆଖ ଗ୍ରାମରେ କାମ କରି ନିଜର ପେଟପୋଷଣ କରିଥାଆନ୍ତି । କିନ୍ତୁ ବୟସର ଅପରାହ୍ଣରେ ଆଉ ବଳ ବି ସାଥ ଦେଲାନି । ତେଣୁ ଘରେ ବସି ରହିଛନ୍ତି ପାତି ।

ସରକାରୀ ଖାଦ୍ୟ ଓ ଖାଉଟି ବିଭାଗର ରାସନ କାର୍ଡ ଖଣ୍ଡେ ପାଇବା ଲାଗି ୩ ବର୍ଷ ଅପେକ୍ଷା କଲା ପରେ ବିଭାଗ ପକ୍ଷରୁ ମିଳିଛି ଅଜବ ଜବାବ । ବିଭାଗ କହିଛି କି ପାତିଙ୍କର ୨ କିଲୋୱାଟ ବିଜୁଳି ସଂଯୋଗ ରହିଛି । ତେଣୁ ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ରାସନ କାର୍ଡ ମିଳିନାହିଁ । ପ୍ରକୃତରେ ଦେଖିବାକୁ ଗଲେ ପାତିଙ୍କ ଘରେ ବିଜୁଳି ସଂଯୋଗ କରାଯାଇନାହିଁି ।

ଯଦି ମଧୁବାବୁ ପେନସନ୍ ଯୋଜନା କଥା କହିବା ତେବେ ସେଥିରେ ତାଙ୍କୁ ୩୦୦ ଟଙ୍କା ଭତ୍ତା ମିଳୁଛି । ବୟସ ୮୫ ହେଲାଣି । ନିୟମ ଅନୁସାରେ ତାଙ୍କୁ ୫୦୦ ଟଙ୍କା  ମିଳିବା କଥା । ବର୍ତ୍ତମାନ ସମୟରେ ସେ ୫୦୦ ଟଙ୍କା ମିଳିବା କଥା ବୋଲି ମଧ୍ୟ ଜାଣିନାହାନ୍ତି । ପଚାରିଲେ କହନ୍ତି ସେ, ମୁଁ ମୁର୍ଖ ଲୋକ । ମତେ ଯାହା ଦିଅନ୍ତି ମୁଁ ନେଇ ଆସେ । ମତେ ୫୦୦ ଟଙ୍କା ମିଳୁଛି ବୋଲି କେହି କହିନାହାନ୍ତି । ତେଣୁ ମୁଁ ଜାଣିନାହିଁ ।

ଘର କାଳେ ମାଗଣାରେ ମିଳୁଛି ବୋଲି ଶୁଣିଥିଲି । ତେଣୁ ପୈାରପାଳିକାକୁ ଯାଇଥିଲି ଯେ, ମୋତେ କହିଲେ କି ୪୦ ହଜାର ଦେ ତା ପରେ ଘର ମିଳିବ । ମୋ ପାଖରେ ଏତେ ଟଙ୍କା କେଉଁ ଆଡୁ ଆସିବ । ତେଣୁ ଆଉ ସେଠିକି ଗଲିଣି । ସବୁ ଆଡେ ସବୁ ମିଳୁଛି କିନ୍ତୁ ଆମେ କିଛି ପାଉନାହୁଁ । ୩୦୦ ଟଙ୍କାରେ ମାସକର ଖାଇବା କିଛି ହେଉ ନାହିଁ । ୧୦ ଦିନ ଖାଇଲେ ୨୦ ଦିନ ଉପାସ । ସବୁବେଳେ କିଏ କେତେ ଦେବ? ତେଣୁ ଅଧା ଦିନ ଉପାସରେ ରହିବାକୁ ପଡୁଛି କହି କାନ୍ଦିପକାଇଥିଲେ ପାତି ।

ଏ ସମ୍ବେଦନଶୀଳ ପ୍ରସଙ୍ଗରେ ପୈାରପାଳିକାର ଅଧ୍ୟକ୍ଷ ସରୋଜ ମାଝୀ କହିଛନ୍ତି ଯେ, ଏ ବିଷୟ ମୋ ନଜରକୁ ଖବର ଆସି ନାହିଁ । ଯଦି ଏହା ସତ ହୋଇଥିବ ତେବେ ନିଶ୍ଚିତ ଭାବରେ ତାଙ୍କର ସମସ୍ତ କଥା ବୁଝାଯିବ ବୋଲି ଶ୍ରୀ ମାଝି କହିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । କିନ୍ତୁ ସେ ଯୋଜନା କାହା ପାଖରେ ପହଞ୍ଚୁଛି କି ନାହିଁ ତାହାର ଖବର କାହା ପାଖରେ ନାହିଁ କି ତାହାକୁ ତଦନ୍ତ କରିବାକୁ କୈାଣସି ଅଧିକାରୀଙ୍କ ପାଖରେ ସମୟ ନାହିଁ । କେବଳ ପାତି ନୁହେଁ ସାରା ଓଡିଶାରେ ଏପରି କେତେ ଲୋକ ଥିବେ ତାହା କେବଳ ଭଗବାନଙ୍କୁ ହିଁ ଜଣା ।