ପଟ୍ଟା ପ୍ରଦାନ ନାଁରେ ଗରିବଙ୍କୁ ପ୍ରଶାସନର ଉପହାସ । ଅସହାୟ ମହିଳାଙ୍କୁ ସହାୟତା ଦେବା ବଦଳରେ ଜମିପଟ୍ଟା ପାଇଁ ଟଙ୍କା ଦିଅ କହିଲା ପ୍ରଶାସନ ।

131

କନକ ବ୍ୟୁରୋ: ପଟ୍ଟା ପ୍ରଦାନ ନାମରେ ଗରିବଙ୍କୁ ପ୍ରଶାସନର ଉପହାସ । ଏହା ଆମେ କହୁନୁ, ଉମରକୋଟରୁ ଆସିଥିବା ଖବର କହୁଛି । ଝାଟିମାଟିର ଘରେ ଥିବା ଏକ ଅସହାୟ ବୃଦ୍ଧାଙ୍କୁ ଜମିପଟ୍ଟା ପାଇଁ ୧୬ ହଜାର ଟଙ୍କା ବାନ୍ଧିବାକୁ ନୋଟିସ ଦେଇଛି ପ୍ରଶାସନ । ଅସହାୟ ମହିଳାଙ୍କୁ ଜିଲ୍ଲା ପ୍ରଶାସନ ସହାୟତା ଦେବା ବଦଳରେ ଟଙ୍କା ପାଇଁ ନୋଟିସ ପଠାଇବା ବେଡି ଉପରେ କୋରଡା ମାଡ ସଦୃଶ୍ୟ ହୋଇଛି ।

ଜମିପଟ୍ଟା ପାଇଁ ୧୬ ହଜାର ୧୩୦ ଟଙ୍କା ବାନ୍ଧିବାକୁ ନୋଟିସ । ଉମରକୋଟ ପୌରପରିଷଦ ୭ ନମ୍ବର ୱାର୍ଡରେ ରହୁଥିବା ବିଧବା ବୃଦ୍ଧା ସାହାବତୀଙ୍କ ପାଖକୁ ଏହି ନୋଟିସ ପଠାଇଛି ପ୍ରଶାସନ । ଭଙ୍ଗା ଦଦରା ଝାଟିମାଟିର ଘର । ଅଭାବ ଅନଟନରେ ଚଳୁଛନ୍ତି ବିଧବା ମାଆ ଓ ମାନସିକ ଦିବ୍ୟାଙ୍ଗ ଝିଅ । ପରଘରେ ମୂଳ ଲାଗି, ଝିଅକୁ ମିଳୁଥିବା ଦିବ୍ୟାଙ୍ଗ ଭତା ଓ ପଡୋଶୀଙ୍କ ସହଯୋଗରେ ଚଳିଯାଉଛି ପରିବାର । କିଛି ଦିନ ତଳେ ଘରଡିହ ପଟ୍ଟା ପାଇଁ ସର୍ଭେ ସମୟରେ ପଟ୍ଟା ମିଳିବ ଜାଣି ଖୁସି ହୋଇଯାଇଥିଲେ ସାହାବତୀ । ହେଲେ ନୋଟିସ ଆସିବା ପରେ ତାଙ୍କ ଆଶା ମଉଳି ଯାଇଛି, ପଟ୍ଟା ପାଇଁ ଟଙ୍କା ଆଣିବେ କେଉଁଠି ସେହି ଚିନ୍ତା ଘାରିଛି ।

ଉମରକୋଟରେ ବସ୍ତିବାସିନ୍ଦା ଭୂମି ଅଧିକାର ଅଧିନିୟମ ଆଇନ-୨୦୧୭ ଅନୁଯାୟୀ ସର୍ଭେ ପରେ ସାହାବତୀଙ୍କୁ ପଟ୍ଟା ପାଇଁ ଟଙ୍କା ବାନ୍ଧିବାକୁ ନୋଟିସ ଆସିଛି । ହେଲେ ଏତେ ଟଙ୍କା ସାହାବତୀ ଦେଇ ପାରିବେ ନାହିଁ । ଏନେଇ ମିନସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ।