ଶୁଖୁନି ଫୋନିର କ୍ଷତ ! ‘ଫୋନି’ର ୧୦ ମାସ ପରେ ବି ବାସ ଖୋଜୁଛନ୍ତି ବାସହରା । ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଛନ୍ତି ବାସହରା ବାବାଜୀ ।

155

କନକ ବ୍ୟୁରୋ : ୨୦୧୯, ମେ ୩ ତାରିଖରେ ଓଡିଶା ଉପକୂଳରେ ମାଡ କରିବା ପରେ ତାଣ୍ଡବ ରଚିଥିଲା ବାତ୍ୟା ଫୋନି । ଏବେ ସେହି ପ୍ରଳୟଙ୍କରୀ ବାତ୍ୟାର ଛାପ ଅସ୍ତରଙ୍ଗରେ ଦେଖିବାକୁ ମିଳିଛି । ଝଡ ମାଡରେ ଭାଙ୍ଗି ଯାଇଥିବା ଝାଟି ମାଟିର ଘର ସେମିତି ପଡିଛି । ଭଙ୍ଗା ଘରେ ଅନାବନା ଗଛ ରାଜୁତି କରୁଥିବା ବେଳେ ବିପନ୍ନଙ୍କୁ ସାହାରା ଦେଇଛି ରାଜୀବ ଗାନ୍ଧୀ ସେବା କେନ୍ଦ୍ର । ଏହା ହେଉଛି, ଅସ୍ତରଙ୍ଗ ତାଳଦା ଦ୍ୱିପାଂଚଳର ବାସିନ୍ଧା ‘ବାବାଜୀ ସ୍ୱାଇଁଙ୍କ କରୁଣ କାହାଣୀ’ ।

କେମିତି ରହୁଛନ୍ତି ବିପନ୍ନଙ୍କ ପରିବାର ? ଭଙ୍ଗା ଘରେ ଅନାବନା ଗଛର ରାଜୁତି, ଏବେ ବଂଚିବାକୁ ରାହା ଖୋଜୁଛି ମଣିଷ, ସାହାରା ପାଲଟିଛି ସେବା କେନ୍ଦ୍ର । ବାତ୍ୟା ପରେ ବାସହରା ତାଳଦା ଦ୍ୱିପାଂଚଳର ବାସିନ୍ଦା ‘ବାବାଜୀ ସ୍ୱାଇଁ’ ।

୧୦ ମାସ ତଳେ ଆସିଥିବା ଝଡ ଫନି ସବୁ କିଛି ଛାରଖାର କରି ଚାଲିଯିବା ପରେ ଅସହାୟ ହୋଇପଡିଛି ବାବାଜୀ ସ୍ୱାଇଁଙ୍କ ପରିବାର । ଝଡ଼ ଯିବା ପରେ କିଛି ପରିବାର ସରକାରୀ ସହାୟତା ପାଇ ନୂଆ ଘର କରି ରହିଛନ୍ତି । କିନ୍ତୁ ଏବେ ବି ଅନେକ ପରିବାର ଅଛନ୍ତି, ଯେଉଁମାନେ ସରକାରୀ ସହାୟତା ନପାଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ଏଇ ଯେମିତି ପୁରୀ ଅସ୍ତରଙ୍ଗର ତାଳଦା ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ବାବାଜୀ ସ୍ୱାଇଁଙ୍କ ନିରାଶ୍ରୟ ପରିବାର ।

ବାତ୍ୟା ବାସହରା ଅସହାୟ ଜୀବନ । ବିପନ୍ନଙ୍କ ସାହାରା ସେବା କେନ୍ଦ୍ର । ଝଡ ତୋଫାନରେ ବାବାଜୀଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଭଙ୍ଗା ଘରେ ଏବେ ଅନାବନା ଗଛ ମାଡି ଗଲାଣି । ଜନ୍ତୁଜୁନ୍ତା ବାସ କଲେଣି । ପର ଘରେ ମୁଲ ଲାଗି ଦିବ୍ୟାଙ୍ଗ ସ୍ତ୍ରୀ, ଝିଅ ଓ ନାତୀ ମୁହଁରେ ଦାନା ଗଣ୍ଡାଏ ଦେଉଥିବା ବାବାଜୀ, ଘରକୁ ମରାମତି କରିବା ପାଇଁ ସଂପୂର୍ଣ୍ଣ ଅସମର୍ଥ । ତେଣୁ ପିଲା ଛୁଆଙ୍କୁ ଧରି ଏମିତି ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରହୁଛନ୍ତି ବାବାଜୀ । ଫନି ସହାୟତା କହିଲେ ୫୦ କିଲୋ ଚାଉଳ ଓ ୨ ହଜାର ଟଙ୍କା ମିଳିଥିବା ବେଳେ ଘର ଖଣ୍ଡିଏ ପାଇଁ ବ୍ଲକ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଥିବା କୁହନ୍ତି ବିପନ୍ନ ବାବାଜୀ ।

ଝଡରେ ନିଦ ଉଜୁଡି ଗଲା, ହେଲେ ବ୍ଲକ ପ୍ରଶାସନ ପକ୍ଷରୁ ଘର ଖଣ୍ଡିଏ ମିଳିଲାନି କି, ତହସିଲ ପକ୍ଷରୁ ତଦନ୍ତ ବି ହେଲା ନାହିଁ । କି ୧୦ ମାସ ହେବ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଥିବା ଏହି ଅସହାୟ ପରିବାର ଉପରେ ପ୍ରଶାସନର ନଜର ପଡିଲା ନାହିଁ । ଯାହା ପରିତାପର ବିଷୟ ।