ପଚାସଢ଼ା ଫୁଲର ବ୍ୟବସାୟ କରି କୋଟିପତି ହେଲେ କାନପୁରର ଦୁଇ ସାଙ୍ଗ ! ଗଙ୍ଗା ଘାଟକୁ ପ୍ରଦୂଷଣ ମୁକ୍ତ କରିବା ସହ ଅନେକଙ୍କୁ ମିଳିଲା ନିଯୁକ୍ତି

94

ପଚାସଢ଼ା ଫୁଲର ବ୍ୟବସାୟ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ଦୁଇ ସାଙ୍ଗ । କଥାଟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ମନ୍ଦିରରୁ ବ୍ୟବହୃତ ଫୁଲକୁ ନେଇ ବ୍ୟବସାୟ କରିବା ବିଲକୁଲ ଆଶ୍ଚର୍ଯ୍ୟକର ଘଟଣା । ସାଧାରଣତଃ ମନ୍ଦିରରେ ବ୍ୟବହାର ହୋଇଥିବା ଫୁଲକୁ ପାଣିରେ ଫୋପାଡ଼ି ଦିଆଯାଏ, ଯଦ୍ୱାରା ଜଳ ପ୍ରଦୂଷଣ ହୁଏ । ଲୋକେ ଏଥିଯୋଗୁଁ ଅନେକ ରୋଗର ମଧ୍ୟ ଶିକାର ହେଉଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଦୁଇ ସାଙ୍ଗ ମିଶି ତିଆରି କଲେ ହେଲ୍ପ ଅସ୍ ଗ୍ରିନ କମ୍ପାନୀ ।

ଉତ୍ତରପ୍ରଦେଶର କାନପୁର ମୁଖ୍ୟାଳୟ ଠାରୁ ୨୫ କିମି ଦୂରରେ ଅବସ୍ଥିତ ଭୌତି ଗାଁରେ ‘ହେଲ୍ପ ଅସ୍ ଗ୍ରୀନ’ର କମ୍ପାନୀର ଅଫିସ୍ ଅଛି । କାନପରୁର ୨୯ଟି ମନ୍ଦିରରୁ ପ୍ରତିଦିନ ୮୦୦ କିଲୋ ଫୁଲ ଏକାଠି କରି ଧୂପକାଠି ଓ ଜୈବିକ ସାର ତିଆରି ହୁଏ । ଅଙ୍କିତ ଅଗ୍ରୱାଲ ଓ କରଣ ରାସ୍ତୋଗୀ ନାମକ ଦୁଇ ସାଙ୍ଗ ‘ହେଲ୍ପ ଅସ୍ ଗ୍ରୀନ’ର କମ୍ପାନୀର ପ୍ରତିଷ୍ଠାତା । ଉଭୟଙ୍କ ଯୋଗୁଁ ହିଁ କାନପୁରର ମନ୍ଦିରରେ ଚଢ଼ାଯାଉଥିବା ଫୁଲ ନଦୀନାଳରେ ଫୋପଡ଼ା ଯାଉନାହିଁ । ଆଉ ଏଥିଯୋଗୁଁ ଜଳ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣରୁ କିଛିକାଂଶରେ ରକ୍ଷା ପାଉଛନ୍ତି କାନପୁରବାସୀ ।

୨୮ ବର୍ଷିୟ ଅଙ୍କିତ୍ କୁହନ୍ତି, ମୁଁ ଜଣେ ସାଙ୍ଗ ସହ ୨୦୧୪ରେ କାନପୁରର ବିଠୁର ମନ୍ଦିର ଦର୍ଶକ କରିବା ପାଇଁ ଯାଇଥାଏ । ଆଉ ସେଠାରେ ଗଙ୍ଗାକୂଳରେ ପଚାଫୁଲ ଯୋଗୁଁ ପ୍ରଦୂଷିତ ପାଣି ପିଉଥିବାର ଦେଖିଲି । ଫୁଲ ପଚିଯାଇ ପାଣିକୁ ପ୍ରଦୁଷିତ କରିବା ସହ ଫୁଲରେ ଦିଆଯାଇଥିବା କୀଟନାଶକ ପଦାର୍ଥର୍ ଯୋଗୁଁ ପାଣିରେ ରହୁଥିବା ଜୀବଙ୍କ ପାଇଁ ମଧ୍ୟ ଅସ୍ୱାସ୍ଥ୍ୟକର ପରିବବେଷ ସୃଷ୍ଟି ହେଉଥିଲା । ଏହାଦେଖି ଅଙ୍କିତଙ୍କ ସାଙ୍ଗ କହିଥିଲେ ଏପରି ଅବସ୍ଥା ପାଇଁ କିଛି କରିବା ଦରକାର । ଆଉ ସେତେବେଳ ହିଁ ଅଙ୍କିତଙ୍କ ମନକୁ ଏକ ଉପାୟ ଆସିଲା । ସେ ଚିନ୍ତା କରିଥିଲେ ପଚାସଢ଼ା ଫୁଲ ଦ୍ୱାରା କ’ଣ କରିହେବ, ଯସ୍ୱାରା ଜଳ ପ୍ରଦୂଷଣ ନହେବା ସହ ଏଥିରେ ଆୟ ମଧ୍ୟ କରାଯାଇପାରିବ ।

କିନ୍ତୁ ଏପରି ଉପାୟରେ କାମ କରିବା ଏତେ ସୁବିଧା ନଥିଲା । ଅଙ୍କିତ କହିଛନ୍ତି, ତାଙ୍କ ସାଙ୍ଗ କରଣ ସେତେବେଳେ ବିଦେଶରୁ ପାଠ ପଢ଼ି ଘରକୁ ଫେରିଥାନ୍ତି । ଆଉ ଉଭୟେ ଏ ବିଷୟରେ ଆଲୋଚନା କରିଥିଲା । ବହୁତ ଆଲୋଚନା ପରେ ମାତ୍ର ୭୨ ହଜାର ଟଙ୍କା ନିବଶେ କରି ୨୦୧୫ରେ ଆରମ୍ଭ କରିଥିଲେ କମ୍ପାନୀ ‘ହେଲ୍ପ ଅସ ଗ୍ରିନ’ । କମ୍ପାନୀ ତିଆରି କିରବାର ୨ ମାସ ପରେ ପ୍ରଥମେ ଜୈବିକି ସାର ଉତ୍ପାଦନ କରାଯାଇଥିଲା । ଆଉ ପରେ ପରେ ଧୂପକାଠି ମଧ୍ୟ ତିଆରି କରାଗଲା । ଧୀରେ ଧୀରେ ବଢ଼ିଲା ବ୍ୟବସାୟ । ଆଉ ଆଜି ବ୍ୟବସାୟ ବଢ଼ି ‘ହେଲ୍ପ ଅସ ଗ୍ରିନ’ କମ୍ପାନୀ ୨୨ ଏକରରେ ବ୍ୟାପ୍ତ ରହିଛି । କମ୍ପାନୀରେ ୭୦ ଜଣରୁ ଅଧିକ ମହିଳା କାମ କରୁଛନ୍ତି । ତେବେ ବତ୍ତର୍ମାନ ସମୟରେ ‘ହେଲ୍ପ ଅସ ଗ୍ରିନ’ର ବାର୍ଷିକ ଟର୍ଣ୍ଣଓଭର ୨ କୋଟି ଟଙ୍କା । ତେବେ ଏହି କମ୍ପାନୀ ଯୋଗୁଁ ନଦୀକୁ ପ୍ରଦୂଷଣକୁ ରକ୍ଷା କରିବାରେ ସାହାଯ୍ୟ ହେଉଛି ।