ଅସାଧ୍ୟ ଚର୍ମରୋଗରେ ପୀଡ଼ିତ ୩ ବର୍ଷର କାହ୍ନା ! ସାହାଯ୍ୟ ଲୋଡ଼ୁଛନ୍ତି ପରିବାର, ଆପଣଙ୍କ ସହଯୋଗ ବଦଳାଇ ଦେବ ଏକ ନିରୀହ ଶିଶୁର ଜୀବନ

33

କନକ ବ୍ୟୁରୋ : ପୁଅଟି ଜନ୍ମ ହେଲା ବୋଲି ପରିବାର ଭିତରେ ହସଖୁସି ଆସିଯାଇଥିଲା । କିନ୍ତୁ ବିରଳ ଚର୍ମରୋଗରେ ପୀଡିତ ଥିବା ଜଣାପଡ଼ିବା ପରେ ହସଖୁସିର ପରିବାରରେ ଯେମିତି ଗ୍ରହଣ ଲାଗିଯାଇଥିଲା । ତିନିବର୍ଷର ଶିଶୁପୁତ୍ର କାହ୍ନାର ଚିକିତ୍ସା ପାଇଁ ବ୍ରହ୍ମଗିରିର ଦିନମଜୁରିଆ ପ୍ରମୋଦଙ୍କ ପରିବାର ଏବେ ନିସ୍ୱଃା ସହାୟତା ପାଇଁ ଆକୁଳ ପ୍ରାର୍ଥନା କରୁଛନ୍ତି କାହ୍ନାଙ୍କ ବାପାମାଆ ।

ମାଆ ଆଖିର ଲୁହ, ତା ମନର କୋହ ହିଁ ବୟାନ କରୁଛି ତା ଭିତରର କଷ୍ଟ ଓ ଅସହାୟତା । ପୁଅଟିଏ ପାଇ ଖୁସି ହୋଇଥିବା ପରିବାର ମୁଣ୍ଡରେ ଯେମିତି ପଡିଛି ଦୁଃଖର ପାହାଡ । ପୁଅ କାହ୍ନାକୁ ତିନି ବର୍ଷ ହେଲାଣି, କିନ୍ତୁ ଏକ ଅସାଧ୍ୟ ଚର୍ମ ରୋଗରେ ଜନ୍ମରୁ ସେ ପୀଡିତ । ପ୍ରତି ମୁହୁର୍ତରେ ତା ଦେହରୁ ଚମଡା ଛାଡୁଛି ।

ପୁରୀ ଡାକ୍ତରଖାନାରରେ ଜନ୍ମ ପରେ ପରେ କାହ୍ନାର ଶରୀରରେ ଅସ୍ୱାଭାବିକ ଅବସ୍ଥା ସ୍ପଷ୍ଟ ହେଲା । ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଗଲା । ବାରମ୍ବାର ଡାକ୍ତରଖାନା ଦୌଡି ଦୌଡି ଖର୍ଚ୍ଚାନ୍ତ ହେଲେଣି ପ୍ରମୋଦଙ୍କ ପରିବାର । ଦିନ ମଜୁରିଆ ବାପା ପୁଅ ପାଇଁ ସବୁକିଛି ବିକିଭାଂଜି ଚିକିତ୍ସା କରିଥିଲେ ବି ସୁସ୍ଥ ହୋଇପାରି ନାହିଁ କାହ୍ନା । ଏହି ବିରଳ ରୋଗରୁ ପୁଅ କେମିତି ମୁକ୍ତି ପାଇବ ସେହି ଚିନ୍ତାରେ ପରିବାର ।

ନିରୀହ ଶିଶୁ କାହ୍ନା ପାଇଁ ସହାୟତା ଲୋଡୁଛନ୍ତି ପରିବାର । ଆପଣ ଏହି ଦୁଃସାଧ୍ୟ ରୋଗରେ ପୀଡିତ କାହ୍ନାକୁ ସହାୟତା ଦେବାକୁ ଚାହୁଁଥିଲେ ଉପରେ ଦିଆଯାଇଥିବା ଠିକଣା ଓ ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ । ହୁଏତ ଆପଣଙ୍କ ଟିକିଏ ସହାୟତାର ଉଦ୍ୟମ ଜଣେ ନିରୀହ ଶିଶୁର ଜୀବନକୁ ବଦଳାଇ ପାରିବ ।