ଚାଳକଙ୍କ ସହ ଏବେ ପଛରେ ବସିଥିବା ବ୍ୟକ୍ତିଙ୍କୁ ବି ପିନ୍ଧିବାକୁ ହେବ ହେଲମେଟ୍। ବାଇକ୍ ସହ କିଣିବାକୁ ପଡିବ ୨ଟି ହେଲମେଟ୍ ନଚେତ ହୋଇପାରିବନି ରେଜିଷ୍ଟ୍ରେସନ ।

ଦୁର୍ଘଟଣା ରୋକିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ନୂଆ ନିୟମ

148

ଦେଶରେ ଦିନ ପ୍ରତିଦିନ ବଢି ଚାଲିଛି ସଡକ ଜନିତ ଦୁର୍ଘଟଣା । ପ୍ରତି ଦିନ କେଉଁଠି ନା କେଉଁଠି କେହି ନା କେହି ଏହାର ଶିକାର ହୋଇ ଜୀବନ ହାରିବାକୁ ପଡୁଛି । ଏନେଇ ଉଭୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଅନେକ ସଚେତନତା ମୂଳକ ଅଭିଯାନ କରାଯାଉଥିବା ସତ୍ୱେ ବି ଲୋକେ ବେପରୁଆ ଭାବେ ଗାଡି ଚଲାଇ ମୃତ୍ୟୁକୁ ନିମନ୍ତ୍ରଣ ଦେଉଛନ୍ତି । ଯାହାକି ବର୍ତ୍ତମାନ ସମୟରେ ଏକ ବଡ ସମସ୍ୟା ରୂପେ ମୁଣ୍ଡ ଟେକିଛି । ତେବେ ଏହି ସମସ୍ୟାର ଏକମାତ୍ର ପ୍ରତିକାର ହେଲା ଲୋକଙ୍କ ସଚେତନତା । ନିୟମ ଯେତେବି କଡା କଡି କରାଗଲେ ବି ଯଦି ନିଜେ ଲୋକେ ସଜାଗ ହେବେନି ତେବେ ଏଭଳି ଦୁର୍ଘଟଣା ପ୍ରତିଦିନ ଘଟୁଥିବ ଆଉ ଏଥିରେ ଶିକାର ହୋଇ ଲୋକେ ମୃତ୍ୟୁ ମୁଖରେ ପଡୁଥିବେ । ତେବେ ସେ ଯାହା ହେଉନା କାହିଁକି ସଡକ ଦୁର୍ଘଟଣାକୁ ରୋକିବା ପାଇଁ ମଧ୍ୟପ୍ରଦେଶ ସରକାର ଜାରି କରିଛନ୍ତି ନୂଆ ନିୟମ । ଯେଉଁଥିରେ ଚଳିତ ମାସ ପହିଲାରୁ ସବୁ ବାଇକ୍ ଆରୋହଙ୍କୁ ଦୁଇଟି ଲେଖାଏଁ ହେଲମେଟ କିଣିବାକୁ ପଡିବ । ଯାହାକି ବାଧ୍ୟତାମୂଳକ ଅଟେ ।

ସରକାରଙ୍କ ଏହି ନିୟମାନୁସାରେ, ଏଣିକି ବାଇକ୍ ଆରୋହୀଙ୍କ ସହିତ ପଛରେ ବସିଥିବା ବ୍ୟକ୍ତିଙ୍କୁ ବି ହେଲମେଟ୍ ପିନ୍ଧିବାକୁ ପଡିବ । ଯାହାକି ବାଧ୍ୟତାମୂଳକ । ଖାଲି ଏତିକି ନୁହେଁ ଏଣିକି ଯଦି କୌଣସି ବ୍ୟକ୍ତି ନୂଆ ବାଇକ୍ କିଣନ୍ତି ତେବେ ସାଥିରେ ତାଙ୍କୁ ୨ଟି ହେଲମେଟ ମଧ୍ୟ ବାଧ୍ୟତାମୂଳକ ଭାବେ କିଣିବାକୁ ହେବ । ଯଦି ତାଙ୍କ ନିକଟରେ ପୂର୍ବରୁ ହେଲମେଟ ରହିଥିବ ତେବେ ତାଙ୍କୁ ହେଲମେଟ କିଣିଥିବାର ବିଲ ଦେଖାଇବାକୁ ହେବ । କାହିଁକି ନା ବିଲ ନମ୍ବରର ଏଂଟ୍ରି ହେବା ପରେ ହିଁ ଯାଇ ଗାଡିର ରେଜିଷ୍ଟ୍ରେସନ ହୋଇପାରିବ ।

ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଜାରି ନିୟମ..

– ମୋଟର ହ୍ୱିଲର ଆକ୍ଟରେ ଦୁଇ ଚକିଆ ଯାନ ଚଲାଇବା ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ ।

– ମଧ୍ୟପ୍ରଦେଶରେ ମହିଳାଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନାହିଁ । କିନ୍ତୁ ସରକାରଙ୍କ ଏହି ନୂଆ ନିୟମ ଅନୁସାରେ , ଏଣିକି ମହିଳାଙ୍କୁ ମଧ୍ୟ ବାଧ୍ୟତାମୂଳକ ଭାବେ ହେଲମେଟ ପିନ୍ଧିବାକୁ ପଡିବ ।

– ପରିବହନ ବିଭାଗର ନିର୍ଦ୍ଦେଶ ଅନୁସାରେ, ଦୁଇ ଚକିଆ ଯାନ କିଣିଲେ ଏଣିକି ଦୁଇଟି ହେଲମେଟ କିଣିବାକୁ ପଡିବ । ଏଭଳି ପରିସ୍ଥିତିରେ ଗାଡି ଚଲାଉଥିବା ବ୍ୟକ୍ତି ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ ହେଲମେଟ ପିନ୍ଧିବାକୁ ହେବ ।

– ଦୁଇ ଚକିଆ ଯାନ ସହିତ ଦୁଇଟି ହେଲମେଟ କିଣିଥିବାର ବିଲ ଦେଖାଇବାକୁ ହେବ ନଚେତ ଗାଡିର ପଂଜିକରଣ ହୋଇପାରିବ ନାହିଁ ।