ଏଣିକି ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ ! ବାଧ୍ୟତାମୂଳକ କଲେ ସରକାର

49

କନକ ବ୍ୟୁରୋ : ଏଣିକି ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି ସରକାର କହିଛନ୍ତି । ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡିବ । ଏଥିପାଇଁ ଥାନା ଏଏସଆଇଙ୍କୁ ଏମଭିଆଇ କ୍ଷମତା ପ୍ରଦାନ କରାଯାଇଛି । ସେମାନେ ଆଇନ୍ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଏଥିସହ ପ୍ରତି ମାସରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ କରିବାକୁ ନିର୍ଦ୍ଦେଶ ହୋଇଛି । ଜାତୀୟ ଓ ରାଜ୍ୟରାଜପଥରେ ଯାଂଚ୍ କଡାକଡି କରିବା ସହ ସପ୍ତାହକୁ ଅତି କମରେ ଗୋଟିଏ ଦିନ ଜିରୋ ଟଲେରାନ୍ସ ଡେ କରିବାକୁ କୁହାଯାଇଛି । ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ଜିଲ୍ଲାପାଳ ଓ ଏସପି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏନେଇ ଆଲୋଚନା ହୋଇଛି । ରାଜ୍ୟରେ ୪୪ ପ୍ରତିଶତ ଦୁର୍ଘଟଣା ମୋଟର ସାଇକେଲ୍ ଜନିତ । ଏଥିରୁ ରକ୍ଷା ପାଇବାକୁ ହେଲେ ଗାଡିରେ ବସିଥିବା ଦୁଇ ଜଣଯାକ ହେଲମେଟ୍ ପିନ୍ଧିବା ଜରୁରୀ ବୋଲି ସରକାର କହିଛନ୍ତି ।

ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୧୬ରେ ରାଜ୍ୟରେ ୧୦,୫୩୨ ଦୁର୍ଘଟଣା ହୋଇଥିଲା । ଏଥିରେ ୪,୪୩୫ ଜଣ ମୃତ୍ୟୁବରଣ କରିଥିଲା ବେଳେ ୧୧,୩୧୨ ଜଣ ଆହତ ହୋଇଥିଲେ । ଏହା ମଧ୍ୟରୁ ୫୭ ପ୍ରତିଶତ ଦୁର୍ଘଟଣା ଗ୍ରାମାଞ୍ଚଳରେ ଓ ୪୩ ପ୍ରତିଶତ ଦୁର୍ଘଟଣା ସହରାଞ୍ଚଳରେ ହେଉଛି । ବୈଠକରେ ପୁଲିସ୍‌ ଡିଜି କେ ବି ସିଂହ, ପରିବହନ କମିସନର୍‌ ମଧୁସୂଦନ ପାଢ଼ୀ ଓ ପରିବହନ ସଚିବ ସଞ୍ଜୟ ରାସ୍ତୋଗୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।